ୱାଶିଂଟନ୍: ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ନେଇ ଆମେରିକା ଏବଂ ଚୀନ୍ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ, ୱାଶିଂଟନ୍ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୧୭୮ଟି ଶ୍ରେଣୀର ଚୀନ୍ ସାମଗ୍ରୀ ଉପରୁ ଅତିରିକ୍ତ ଶୁଳ୍କ ଛାଡ଼ ର ସମୟସୀମାକୁ ୨୦୨୭ ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଆମେରିକା ସରକାର।

ମଙ୍ଗଳବାର ଆମେରିକା ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ନୋଟିସ୍‌ରେ ଏହି ଦୁଇ ମାସିଆ ସମ୍ପ୍ରସାରଣ ବିଷୟରେ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ଫଳରେ ଆମେରିକାର ଆମଦାନୀକାରୀମାନେ ୧୯୭୪ ମସିହାର ଟ୍ରେଡ୍ ଆକ୍ଟର ସେକ୍ସନ ୩୦୧ ଅଧୀନରେ ଥିବା ଅତିରିକ୍ତ ଶୁଳ୍କ ନଦେଇ ନିର୍ଦ୍ଦିଷ୍ଟ ଚୀନ୍ ସାମଗ୍ରୀଗୁଡ଼ିକୁ ନଭେମ୍ବର ୧୦, ୨୦୨୬ ରୁ ଜାନୁଆରୀ ୯, ୨୦୨୭ ପର୍ଯ୍ୟନ୍ତ ନିଜ ଦେଶକୁ ଆଣିପାରିବେ।

ଏହି ସମ୍ପ୍ରସାରିତ ତାଲିକାରେ ପୂର୍ବରୁ ଥିବା ୧୬୪ଟି ଶ୍ରେଣୀର ଉତ୍ପାଦ ସହିତ ସୌର ଉପକରଣ ଉତ୍ପାଦନରେ ବ୍ୟବହୃତ ହେଉଥିବା ୧୪ଟି ବିଶେଷ ସାମଗ୍ରୀ ସାମିଲ ରହିଛି। USTR ସ୍ପଷ୍ଟ କରିଛି ଯେ, ବାଣିଜ୍ୟ ଚୁକ୍ତି ଅନୁଯାୟୀ ଚୀନ୍ ସହିତ ଆଲୋଚନା ଜାରି ଥିବାରୁ ଏହି ଛାଡ଼ ଅବଧିକୁ ବୃଦ୍ଧି କରାଯାଇଛି।

ଗତ ନଭେମ୍ବର ୬ ତାରିଖରେ ଆମେରିକା ବାଣିଜ୍ୟ ପ୍ରତିନିଧି ଜାମିସନ୍ ଗ୍ରିଅର୍ ଏବଂ ଟ୍ରେଜେରୀ ସେକ୍ରେଟାରୀ ସ୍କଟ୍ ବେସେଣ୍ଟ ଚୀନ୍‌ର ଉପ-ପ୍ରଧାନମନ୍ତ୍ରୀ ହେ ଲିଫେଙ୍ଗ୍‌ଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ। ଏହି ବୈଠକରେ ଆମେରିକାର କୃଷି ଉତ୍ପାଦ ଆମଦାନୀ, ଦୁର୍ଲଭ ମୃତ୍ତିକା ସମ୍ପଦ ଏବଂ ସେମିକଣ୍ଡକ୍ଟର ଶିଳ୍ପ ସମ୍ବନ୍ଧୀୟ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରିବାକୁ ଆମେରିକା ଚୀନ୍‌କୁ ଅନୁରୋଧ କରିଥିଲା।

୨୦୨୫ ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍‌ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବାଣିଜ୍ୟିକ ସହମତି ପୃଷ୍ଠଭୂମିରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି, ଯାହାକି ଆମେରିକୀୟ ଚାଷୀ, ଉତ୍ପାଦକ ଏବଂ ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା କରିବାରେ ସହାୟକ ହେବ।