ଆମେରିକା: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଚୀନ୍ ଯାତ୍ରା ସମ୍ପର୍କିତ ନିର୍ଦ୍ଦେଶାବଳୀ କୁ ଅପଡେଟ୍ କରିଛି। ଚୀନ୍ରେ ଆଇନର ମନମୁଖୀ ପ୍ରୟୋଗ, କଠୋର ନଜରଦାରୀ, ଦେଶ ଛାଡ଼ିବା ଉପରେ କଟକଣା ଏବଂ ଅଯଥା ଗିରଫଦାରୀର ଆଶଙ୍କା ଥିବା ନେଇ ଆମେରିକା ବୈଦେଶିକ ବିଭାଗ ନିଜ ନାଗରିକମାନଙ୍କୁ ସତର୍କ କରାଇଛି।
- ଲେଭଲ୍-୨ ଆଲର୍ଟ: ଆମେରିକା ନିଜ ନାଗରିକଙ୍କ ପାଇଁ ଚୀନ୍ ଯାତ୍ରା ନିମନ୍ତେ ‘ଲେଭଲ୍-୨’ ସତର୍କତା ଜାରି ରଖିଛି, ଯାହାର ଅର୍ଥ ହେଉଛି ଚୀନ୍ ଗସ୍ତ ସମୟରେ ଅଧିକ ସାବଧାନତା ଅବଲମ୍ବନ କରିବା ଜରୁରୀ।
- କଠୋର ଆଇନ: ଚୀନ୍ର ଜାତୀୟ ସୁରକ୍ଷା, ଜାସୁସୀ ବିରୋଧୀ ଏବଂ ଡାଟା ସୁରକ୍ଷା ଆଇନ ସ୍ଥାନୀୟ ଅଧିକାରୀଙ୍କୁ ବ୍ୟାପକ କ୍ଷମତା ପ୍ରଦାନ କରିଛି। ଏହାଯୋଗୁଁ ବ୍ୟବସାୟ, ଗବେଷଣା କିମ୍ବା ସାଧାରଣ ଅଭିବ୍ୟକ୍ତି ପାଇଁ ଚୀନ୍ ଯାଇଥିବା ବିଦେଶୀ ନାଗରିକମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।
- ଦେଶ ଛାଡ଼ିବା ଉପରେ କଟକଣା: ଚୀନ୍ ନିଜର ବ୍ୟବସାୟିକ କିମ୍ବା ଆଇନଗତ ବିବାଦ ସମାଧାନ ପାଇଁ, ନିଜ ନାଗରିକଙ୍କ ସ୍ୱାର୍ଥ ରକ୍ଷା ପାଇଁ କିମ୍ବା ବିଦେଶୀ ସରକାରଙ୍କ ଉପରେ ଚାପ ପକାଇବାକୁ ‘ଏଗଜିଟ୍ ବ୍ୟାନ୍’ ବ୍ୟବହାର କରୁଛି। ଯାତ୍ରୀମାନେ ଦେଶ ଛାଡ଼ିବା ସମୟରେ ହିଁ ଏହି କଟକଣା ସମ୍ପର୍କରେ ଜାଣିବାକୁ ପାଉଛନ୍ତି ଏବଂ ଏହା ବିରୋଧରେ ଆଇନଗତ ଆବେଦନ ପାଇଁ କୌଣସି ସ୍ପଷ୍ଟ ସୁଯୋଗ ନାହିଁ।
କାହା ପାଇଁ ଅଧିକ ବିପଦ?
ଆମେରିକା ବୈଦେଶିକ ବିଭାଗ ଅନୁଯାୟୀ, କେତେକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ପ୍ରତି କଠୋର ଯାଞ୍ଚ ଓ ଅଟକର ବିପଦ ଅଧିକ ରହିଛି:
- ଚୀନ୍ ମୂଳୋତ୍ପତ୍ତିର ଆମେରିକୀୟ ନାଗରିକ
- ବ୍ୟବସାୟିକ ବିବାଦରେ ଫସିଥିବା ବ୍ୟକ୍ତି କିମ୍ବା କମ୍ପାନୀ ସହ ଜଡ଼ିତ କର୍ମଚାରୀ
- ସାମ୍ବାଦିକ, ଗବେଷକ, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ
- ଆମେରିକାର ପ୍ରତିରକ୍ଷା, ଗୁପ୍ତଚର ସଂସ୍ଥା, ଆଇନ ପ୍ରବର୍ତ୍ତନ ସଂସ୍ଥା କିମ୍ବା ସରକାରୀ ଯୋଜନାରେ ପୂର୍ବରୁ କାର୍ଯ୍ୟ କରିଥିବା ବ୍ୟକ୍ତି
ଆମେରିକା ନିଜ ନାଗରିକମାନଙ୍କୁ କହିଛି ଯେ, ଚୀନ୍ରେ ଥିବା ସମୟରେ ପଠାଯାଉଥିବା କିମ୍ବା ଆସୁଥିବା ସମସ୍ତ ଇମେଲ୍, ମେସେଜ୍ ଏବଂ ସୋସିଆଲ ମିଡିଆ ପୋଷ୍ଟ ଉପରେ ଚୀନ୍ ସୁରକ୍ଷା ସଂସ୍ଥା ନଜର ରଖୁଛନ୍ତି। ଅଟକ ରଖାଯାଇଥିବା ଆମେରିକୀୟଙ୍କୁ ନିଜ ସପକ୍ଷରେ ସୂଚନା ଦିଆଯାଉନାହିଁ କିମ୍ବା ସୂଚନା ପାଇଁ କୂଟନୈତିକ ସହାୟତା ମଧ୍ୟ ମିଳୁନାହିଁ।




