ୱାଶିଂଟନ୍: ରୁଷିଆରୁ ଡିଜେଲ କ୍ରୟ ଓ ଆମଦାନୀ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ବିରୋଧରେ ଆମେରିକା କଂଗ୍ରେସ (ସଂସଦ) ରେ ସ୍ୱର ତୀବ୍ର ହୋଇଛି। ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ମସ୍କୋକୁ ଆର୍ଥିକ ଫାଇଦା ପହଞ୍ଚାଉଥିବା ଏହି ନୀତିକୁ ରୋକିବା ପାଇଁ ଆମେରିକାର ସାଂସଦମାନେ ଶୁକ୍ରବାର ଏକ ଦ୍ୱିପାକ୍ଷିକ ବିଲ୍ ଆଗତ କରିଛନ୍ତି।
ହାଉସ୍ ଫୋରେନ୍ ଆଫେୟାର୍ସ କମିଟିର ବରିଷ୍ଠ ଡେମୋକ୍ରାଟ୍ ସାଂସଦ ଗ୍ରେଗୋରୀ ମିକ୍ସଙ୍କ ଦ୍ୱାରା ଆଗତ ଏହି ବିଲ୍ର ନାମ ‘Prohibit Corrupt Russia Oil Deals Act’ ରଖାଯାଇଛି। ଏହି ଆଇନ ଗୃହିତ ହେଲେ ରୁଷିଆନ୍ ଶକ୍ତି କ୍ଷେତ୍ରରେ ଆମେରିକା ସରକାରଙ୍କ ସମସ୍ତ ନିବେଶ ଉପରେ ରୋକ୍ ଲାଗିବ ଏବଂ ଟ୍ରେଜେରୀ ବିଭାଗ ଦ୍ୱାରା ରୁଷିଆ ଇନ୍ଧନ କାରବାର ପାଇଁ ଦିଆଯାଇଥିବା ସମସ୍ତ ଲାଇସେନ୍ସ ବାତିଲ ହୋଇଯିବ।
ସାଂସଦ ଗ୍ରେଗୋରୀ ମିକ୍ସ ଅଭିଯୋଗ ଆଣିଛନ୍ତି ଯେ, ରୁଷିଆରୁ ଡିଜେଲ କିଣିବା ଦ୍ୱାରା ଆମେରିକାର ସାଧାରଣ ନାଗରିକଙ୍କ ଉପରୁ ଖର୍ଚ୍ଚ କମିବ ନାହିଁ, ବରଂ ଏହାଦ୍ୱାରା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସରକାରକୁ ଯୁଦ୍ଧ ପାଇଁ ଅତିରିକ୍ତ ଆର୍ଥିକ ବଳ ମିଳିବ। ଏହି ବିଲ୍କୁ ରିପବ୍ଲିକାନ୍ ସାଂସଦ ଡନ୍ ବେକନ୍ଙ୍କ ସମେତ ଡେମୋକ୍ରାଟିକ୍ ସାଂସଦ ଆମି ବେରା, ଜିମ୍ କୋଷ୍ଟା, ଷ୍ଟେନି ହୋୟର ଏବଂ ବିଲ୍ କିଟିଂ ପ୍ରମୁଖ ସମର୍ଥନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ନିକଟରେ ସାଂସଦ ମାଇକେଲ ମ୍ୟାକକଲ୍ ଏବଂ ଜିମ୍ କୋଷ୍ଟାଙ୍କ ନେତୃତ୍ୱରେ ଟ୍ରମ୍ପ ସରକାରଙ୍କୁ ପଠାଯାଇଥିବା ଏକ ଚିଠିରେ ରୁଷିଆରୁ ବିପୁଳ କ୍ରୁଡ୍ ଅଏଲ୍ (ଅଶୋଧିତ ତେଲ) କିଣୁଥିବା ଭାରତ ଓ ଚୀନ୍ ଭଳି ଦେଶଗୁଡ଼ିକ ଉପରେ ସେକେଣ୍ଡାରୀ ଟ୍ୟାରିଫ୍ ଲଗାଇବାକୁ ଦାବି କରାଯାଇଥିଲା।
ଆମେରିକାରେ ଡିଜେଲ ଦର ବୃଦ୍ଧି ପରିବହନ, କୃଷି ଏବଂ ବ୍ୟବସାୟିକ କ୍ଷେତ୍ରକୁ ପ୍ରଭାବିତ କରୁଥିବାରୁ ଯୋଗାଣ ବଢ଼ାଇବାକୁ ଟ୍ରମ୍ପ ପ୍ରଶାସନ ରୁଷିଆରୁ ଡିଜେଲ ଆମଦାନୀ ନିଷ୍ପତ୍ତି ନେଇଥିଲେ। ତେବେ କଂଗ୍ରେସରେ ଆଗତ ଏହି ନୂତନ ବିଲ୍ ଆମେରିକା ସଂସଦରେ ଅନୁମୋଦନ ଲାଭ କରିବା ପରେ ଗୃହିତ ହେବ।




