ୱାଶିଂଟନ୍: ରୁଷିଆର ସାଇବେରିଆ ଅଞ୍ଚଳରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ପ୍ଲେଗ୍ ସଂକ୍ରମଣ ଘଟଣାକୁ ନେଇ ଆମେରିକା ଏବଂ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକ ପ୍ରତି ମୁହୂର୍ତ୍ତରେ କଡ଼ା ନଜର ରଖିଛନ୍ତି। ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ବିଶ୍ୱ ସମୁଦାୟକୁ ଅଧିକ ତଥ୍ୟ ଓ ସ୍ପଷ୍ଟତା ପ୍ରଦାନ କରିବାକୁ ମସ୍କୋକୁ ଆହ୍ୱାନ ଜଣାଇଛନ୍ତି।

ଆଇସଲ୍ୟାଣ୍ଡର ରାଜଧାନୀ ରେକ୍ୟାଭିକ୍‌ଠାରେ ଆଇସଲ୍ୟାଣ୍ଡ ବୈଦେଶିକ ମନ୍ତ୍ରୀ ଥୋର୍‌ଗେର୍ଦୁର କାଟ୍ରିନ୍ ଗୁନ୍ନାସଡୋଟିରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ରୁବିଓ କହିଛନ୍ତି ଯେ, “ବିଶ୍ୱର ଯେକୌଣସି ସ୍ଥାନରେ ଥିବା ପ୍ରୟୋଗଶାଳାରେ କୌଣସି ବ୍ୟକ୍ତି ସଂକ୍ରମିତ ହେବା ଖବର ଆସିଲେ, ଚିନ୍ତା ବଢ଼ିବା ସ୍ୱାଭାବିକ।” ତେବେ ଏହି ଜୀବାଣୁ କୌଣସି ପରିବର୍ତ୍ତିତ କିମ୍ବା ଗବେଷଣାଗାରରୁ ଦୁର୍ଘଟଣାବଶାତ୍ ବାହାରିଛି କି ନାହିଁ, ସେ ନେଇ ଆଗୁଆ କଳ୍ପନାଜଳ୍ପନା କରିବା ଅନୁଚିତ ହେବ ବୋଲି ସେ କହିଛନ୍ତି।

ରୁବିଓ ସ୍ପଷ୍ଟ କରିଛନ୍ତି ଯେ ଏପର୍ଯ୍ୟନ୍ତ ଆବଶ୍ୟକ ସମ୍ପୂର୍ଣ୍ଣ ତଥ୍ୟ ହାସଲ ହୋଇନଥିବାରୁ କୌଣସି ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚିବା ବେଆଇନ ଓ ଅପରିପକ୍ୱ ହେବ। “ଏହା ଏକ ସାମାନ୍ୟ ଘଟଣା ନା ଆମେ ଭାବୁଥିବା ଠାରୁ ଅଧିକ ଗମ୍ଭୀର, ସେ ନେଇ ଆମେ ନିଶ୍ଚିତ ନୁହଁ। କିନ୍ତୁ ସାରା ବିଶ୍ୱ ଏହାକୁ ଗମ୍ଭୀରତାର ସହ ନିରୀକ୍ଷଣ କରୁଛି,” ବୋଲି ସେ ପ୍ରକାଶ କରିଛନ୍ତି।

ଆମେରିକା ସମେତ ବିଶ୍ୱର ଏକାଧିକ ସଂସ୍ଥା ଏହି ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି। ଯଦି ପରିସ୍ଥିତି ଅଧିକ ସଙ୍ଗୀନ ହୁଏ, ତେବେ ତାହାର ମୋକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ପ୍ରସ୍ତୁତ ରହିଛି। ରୁବିଓ କହିଛନ୍ତି, “ଆମେ ରୁଷିଆକୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ଅବଲମ୍ବନ କରନ୍ତୁ ଏବଂ ବିଶ୍ୱ ସହ ଅଧିକ ସୂଚନା ସେୟାର କରନ୍ତୁ, ଯାହା ଦ୍ୱାରା ସମସ୍ତେ ଆବଶ୍ୟକୀୟ ଓ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।”

ଆଗାମୀ କିଛି ଘଣ୍ଟା ଏବଂ ଦିନ ମଧ୍ୟରେ ରୁଷିଆ ପକ୍ଷରୁ ମିଳିବାକୁ ଥିବା ସୂଚନା ଆଧାରରେ ଆଗାମୀ ରଣନୀତି ସ୍ଥିର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।