ଜେନେଭା: World Health Organization (WHO) ବିଶ୍ୱବ୍ୟାପୀ ଖାଦ୍ୟ ସୁରକ୍ଷାକୁ ନେଇ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆଣିଛି। ସଂଗଠନର ନୂତନ ବିଶ୍ଳେଷଣ ଅନୁଯାୟୀ, ଦୂଷିତ ଓ ଅସୁରକ୍ଷିତ ଖାଦ୍ୟ ବର୍ତ୍ତମାନ ବିଶ୍ୱସ୍ତରୀୟ ଜନସ୍ୱାସ୍ଥ୍ୟ ସଙ୍କଟର ରୂପ ନେଇଛି। ପ୍ରତିବର୍ଷ କୋଟି କୋଟି ଲୋକ ଏହା ଯୋଗୁଁ ଅସୁସ୍ଥ ହେଉଥିବା ବେଳେ ବିପୁଳ ସଂଖ୍ୟକ ମୃତ୍ୟୁ ଘଟୁଥିବା ଉପରେ ଚିନ୍ତା ପ୍ରକାଶ କରାଯାଇଛି।

୨୦୦୦ରୁ ୨୦୨୧ ମଧ୍ୟରେ ୧୯୪ଟି ଦେଶର ତଥ୍ୟ ବିଶ୍ଳେଷଣ ପରେ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ଯେ ପ୍ରତିବର୍ଷ ପ୍ରାୟ ୮୮.୬ କୋଟି ଲୋକ ଦୂଷିତ ଖାଦ୍ୟ ଗ୍ରହଣ କରି ଅସୁସ୍ଥ ହେଉଛନ୍ତି। ଏହା ସୂଚାଉଛି ଯେ ବିଶ୍ୱର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ଏବେ ବି ବଡ଼ ଧରଣର ସୁଧାର ଆବଶ୍ୟକ।

ରିପୋର୍ଟର ସବୁଠାରୁ ଚିନ୍ତାଜନକ ଦିଗ ହେଉଛି ପିଲାମାନଙ୍କ ଉପରେ ଏହାର ପ୍ରଭାବ। ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁମାନେ ଦୂଷିତ ଖାଦ୍ୟ ଯୋଗୁଁ ଅନ୍ୟ ବୟସ ଗୋଷ୍ଠୀ ତୁଳନାରେ ଅଧିକ ପ୍ରଭାବିତ ହେଉଛନ୍ତି। ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ଜୀବାଣୁ ଓ ଭାଇରସ୍ ସହଜରେ ସେମାନଙ୍କୁ ଆକ୍ରମଣ କରୁଛି।

ପ୍ରଭାବିତ ଅଞ୍ଚଳରେ ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆ ଆଗରେ

ରିପୋର୍ଟ ଅନୁଯାୟୀ,Africa ଓ Southeast Asia ଅଞ୍ଚଳ ଖାଦ୍ୟଜନିତ ରୋଗରେ ସବୁଠାରୁ ଅଧିକ ପ୍ରଭାବିତ। ସାରା ବିଶ୍ୱର ଅଧିକାଂଶ ଖାଦ୍ୟଜନିତ ରୋଗ ଏବଂ ମୃତ୍ୟୁ ଏହି ଅଞ୍ଚଳରେ ଦେଖାଯାଉଛି। ଖରାପ ପରିମଳ ବ୍ୟବସ୍ଥା, ଅସୁରକ୍ଷିତ ସଂରକ୍ଷଣ ଓ ଦୂଷିତ ପାଣିକୁ ଏହାର ପ୍ରମୁଖ କାରଣ ବୋଲି ଧରାଯାଇଛି।

ଅଧ୍ୟୟନରେ ଆହୁରି କୁହାଯାଇଛି ଯେ ଜୀବାଣୁ ଓ ଭାଇରସ୍ ବ୍ୟତୀତ ଖାଦ୍ୟରେ ଥିବା ରାସାୟନିକ ଦୂଷଣ ମଧ୍ୟ ବଡ଼ ବିପଦ ସୃଷ୍ଟି କରୁଛି। ବିଶେଷ କରି ଆର୍ସେନିକ୍‌, ସୀସା ଭଳି କ୍ଷତିକାରକ ପଦାର୍ଥ ଗୁରୁତର ରୋଗ ଓ ମୃତ୍ୟୁର କାରଣ ହେଉଛି।

ବିଶେଷଜ୍ଞମାନେ ସତର୍କ କରିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ, ବଢୁଥିବା ତାପମାତ୍ରା ଏବଂ ଆଣ୍ଟିବାୟୋଟିକ୍ ପ୍ରତିରୋଧ ଏହି ସମସ୍ୟାକୁ ଆହୁରି ଜଟିଳ କରୁଛି।

WHO ମହାନିର୍ଦ୍ଦେଶକTedros Adhanom Ghebreyesus କହିଛନ୍ତି ଯେ ସୁରକ୍ଷିତ ଖାଦ୍ୟ ପ୍ରତ୍ୟେକ ମଣିଷର ମୌଳିକ ଅଧିକାର ଏବଂ ଏହାକୁ ସୁନିଶ୍ଚିତ କରିବାକୁ ସରକାରମାନଙ୍କୁ ଖାଦ୍ୟ ନିୟନ୍ତ୍ରଣ, ସ୍ୱଚ୍ଛତା ଓ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ପଡିବ।