ୱାଶିଂଟନ୍: ଦଶନ୍ଧି ଦଶନ୍ଧି ଧରି ବନ୍ଦ ରହିବା ପରେ ପୁଣିଥରେ ପରମାଣୁ ଶକ୍ତି ପ୍ରକଳ୍ପଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ବିଶ୍ୱ ବ୍ୟାଙ୍କ ବଡ଼ ନିଷ୍ପତ୍ତି ନେଇଛି। ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗା ଏହି କ୍ଷେତ୍ରକୁ ନିଜର ପ୍ରାଥମିକତା ଭାବେ ଗ୍ରହଣ କରିଛନ୍ତି ବୋଲି ଆମେରିକା ଟ୍ରେଜେରୀ ସେକ୍ରେଟାରୀ ସ୍କଟ୍ ବେସେଣ୍ଟ ଆମେରିକୀୟ ସାଂସଦମାନଙ୍କୁ ସୂଚନା ଦେଇଛନ୍ତି।

ଆମେରିକାର ହାଉସ୍ ଫାଇନାନ୍ସିଆଲ୍ ସର୍ଭିସେସ୍ କମିଟି ସମ୍ମୁଖରେ ବେସେଣ୍ଟ କହିଛନ୍ତି ଯେ, “ମୁଁ ଭାବୁଛି ଗରିବ ଓ ବିକାଶଶୀଳ ଦେଶଗୁଡ଼ିକର ଜୀବନଧାରଣର ମାନ ବୃଦ୍ଧି, ଅର୍ଥନୈତିକ ପ୍ରଗତି ଏବଂ ସ୍ଥାୟୀ ବିଦ୍ୟୁତ୍ ଶକ୍ତିର ଆବଶ୍ୟକତା ପୂରଣ କରିବାରେ ପରମାଣୁ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।” ଦଶନ୍ଧି ଦଶନ୍ଧି ଧରି ବିଶ୍ୱ ବ୍ୟାଙ୍କ ଏହି କ୍ଷେତ୍ରରୁ ଦୂରେଇ ରହିବା ପରେ ପ୍ରଥମ ଥର ପାଇଁ ଏପରି ଏକ ବଡ଼ ପଦକ୍ଷେପ ନେଇଛି।

କମିଟିର ଅଧ୍ୟକ୍ଷ ଫ୍ରେଞ୍ଚ୍ ହିଲ୍ କହିଛନ୍ତି ଯେ, ବିଶ୍ୱ ବ୍ୟାଙ୍କ ଏହି ମିଶନ୍ ପାଇଁ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) ସହ ବୁଝାମଣା କରିଛି। ଏହାଦ୍ୱାରା ବ୍ୟାଙ୍କ ଜାତିସଂଘର ଏହି ପରମାଣୁ ସଂସ୍ଥାରୁ ବୈଷୟିକ ଜ୍ଞାନକୌଶଳ ପାଇପାରିବ ଏବଂ ଛୋଟ ମୋଡ୍ୟୁଲାର ରିଆକ୍ଟର ର ସମ୍ଭାବନା ଉପରେ କାର୍ଯ୍ୟ କରିପାରିବ। ଏହି କ୍ଷେତ୍ର ପାଇଁ ବିଶ୍ୱ ବ୍ୟାଙ୍କରେ ଏକ ସ୍ୱତନ୍ତ୍ର ‘ନ୍ୟୁକ୍ଲିୟର ଏନର୍ଜି ଆସିଷ୍ଟାନ୍ସ ଟ୍ରଷ୍ଟ ଫଣ୍ଡ’ ମଧ୍ୟ ଗଠନ କରାଯାଇଛି।

ଏହି ନୀତିଗତ ପରିବର୍ତ୍ତନ ସହ ବିଶ୍ୱ ବ୍ୟାଙ୍କ ନିଜର ଆର୍ଥିକ ସମ୍ବଳଗୁଡ଼ିକୁ ଅଧିକ ଦରିଦ୍ର ଓ ଆବଶ୍ୟକତା ଥିବା ଦେଶଗୁଡ଼ିକ ଆଡ଼କୁ ମୋଡ଼ିବାକୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ୨୦୩୧ ମସିହା ସୁଦ୍ଧା ଚୀନ୍‌କୁ ସମସ୍ତ ପ୍ରକାର ଋଣ ଓ ଆର୍ଥିକ ସହାୟତା ପ୍ରଦାନ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ବ୍ୟାଙ୍କ ଯୋଜନା କରିଛି।

ଫ୍ରେଞ୍ଚ୍ ହିଲ୍ ଏହାକୁ ସ୍ୱାଗତ କରି କହିଛନ୍ତି ଯେ, ଚୀନ୍ ଏବେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଏବଂ ନିଜେ ଏକ ବଡ଼ ଋଣଦାତା ଦେଶ। ଆମେରିକୀୟ କରଦାତାଙ୍କ ଅର୍ଥ ବେଜିଂର ମହତ୍ତ୍ୱାକାଂକ୍ଷା ପୂରଣ ପାଇଁ ବ୍ୟବହୃତ ହେବା ଉଚିତ୍ ନୁହେଁ। ତେଣୁ ବିଶ୍ୱ ବ୍ୟାଙ୍କ ପ୍ରକୃତ ଆବଶ୍ୟକତା ଥିବା ଦେଶଗୁଡ଼ିକର ଗରିବୀ ହ୍ରାସ ଏବଂ ଅର୍ଥନୈତିକ ବିକାଶ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଉଚିତ୍।

ସୂଚନାଯୋଗ୍ୟ, ଭାରତର ପୁଣେରେ ଜନ୍ମଗ୍ରହଣ କରିଥିବା ଭାରତୀୟ-ଆମେରିକୀୟ ନିର୍ବାହୀ ଆଜୟ ବଙ୍ଗା ୨୦୨୩ ଜୁନ୍‌ରେ ବିଶ୍ୱ ବ୍ୟାଙ୍କର ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ନିଯୁକ୍ତି ସୃଷ୍ଟି, ଭିତ୍ତିଭୂମି ବିକାଶ, ବେସରକାରୀ ପୁଞ୍ଜିନିବେଶ ଏବଂ ବିକାଶଶୀଳ ଦେଶଗୁଡ଼ିକରେ ସୁଲଭ ଶକ୍ତି ସମ୍ପ୍ରସାରଣ ଉପରେ ବିଶେଷ ଗୁରୁତ୍ୱ ଦେଇଆସୁଛନ୍ତି।