ସାନା: ୟେମେନ୍ରେ ସରକାରୀ ବାହିନୀ ଏବଂ ହୁତି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ତୀବ୍ରତର ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ମୋର୍ଚ୍ଚାରେ ହୋଇଥିବା ପ୍ରାୟ ୧୯୦୦ରୁ ଅଧିକ ଆକ୍ରମଣରେ ୧,୧୫୦ରୁ ଅଧିକ ହୁତି ଯୋଦ୍ଧାଙ୍କୁ ନିଷ୍କ୍ରିୟ (ହତ୍ୟା କିମ୍ବା ଆହତ) କରାଯାଇଥିବା ୟେମେନ୍ ସରକାରୀ ବାହିନୀ ପକ୍ଷରୁ ଦାବି କରାଯାଇଛି।
ସରକାରୀ ବାହିନୀର ମୁଖପାତ୍ର ମାଜେଦ୍ ଅଲ୍-ନୁଜାଇଲି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ବିବୃତି ଜାରି କରି କହିଛନ୍ତି ଯେ ଏହି ଅଭିଯାନରେ ପୂର୍ବ, ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ମୋର୍ଚ୍ଚାରେ ହୁତିମାନଙ୍କର ଅସ୍ତ୍ରଶସ୍ତ୍ର ଭଣ୍ଡାର, ସାମରିକ ଶିବିର, କିଲ୍ଲା, ଆର୍ଟିଲରୀ ପୋଜିସନ୍ ଏବଂ ଯୋଗାଣ ଲାଇନ୍କୁ ଟାର୍ଗେଟ୍ କରାଯାଇଥିଲା। ଏଥିସହ ୧୮୦ରୁ ଅଧିକ ସାମରିକ ଓ ଲଜିଷ୍ଟିକ ଯାନ ନଷ୍ଟ କିମ୍ବା କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ସଂଖ୍ୟାକୁ ସ୍ୱାଧୀନ ଭାବରେ ଯାଞ୍ଚ କରାଯାଇ ନାହିଁ ବୋଲି ‘ସିନ୍ହୁଆ’ ସମ୍ବାଦ ସଂସ୍ଥା ପକ୍ଷରୁ କୁହାଯାଇଛି।
ୟେମେନ୍ ସରକାର ଗତ ସୋମବାରଠାରୁ ହୁତି ନିୟନ୍ତ୍ରଣାଧୀନ ଅଞ୍ଚଳକୁ ପୁନଃଦଖଲ କରିବା ପାଇଁ ଏକ ବୃହତ ଆକ୍ରମଣ ଆରମ୍ଭ କରିଛନ୍ତି। ବିଶେଷକରି ଦକ୍ଷିଣ-ପଶ୍ଚିମ ଯେମେନ୍ର ରଣନୈତିକ ବାବ୍ ଅଲ୍-ମନ୍ଦେବ ପ୍ରଣାଳୀ (Bab al-Mandeb Strait) ନିକଟରେ ସବୁଠାରୁ ଭୀଷଣ ଯୁଦ୍ଧ ଜାରି ରହିଛି।
ସରକାରୀ ବାହିନୀକୁ ସମର୍ଥନ କରି ସାଉଦି ଆକାଶମାର୍ଗରୁ ଆକ୍ରମଣକୁ ଜୋର୍ଦାର କରିଥିବା ବେଳେ, ହୁତିମାନେ ମଧ୍ୟ ସାଉଦି ଆରବର ରାଜଧାନୀ ରିୟାଦ ସ୍ଥିତ କିଙ୍ଗ ଖାଲିଦ୍ ଆନ୍ତର୍ଜାତୀୟ ବିମାନବନ୍ଦର ସମେତ ବିଭିନ୍ନ ସ୍ଥାନକୁ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ଜାରି ରଖିଛନ୍ତି।
୨୦୧୪ ମସିହାର ଶେଷ ଭାଗରେ ହୁତି ବିଦ୍ରୋହୀମାନେ ରାଜଧାନୀ ସାନା ଏବଂ ଦେଶର ଉତ୍ତର ଭାଗର ଅଧିକାଂଶ ଅଞ୍ଚଳ ଦଖଲ କରିବା ପରେ ୟେମେନ୍ ଗୃହଯୁଦ୍ଧର ସମ୍ମୁଖୀନ ହୋଇଥିଲା। ଏହା ପରେ ୨୦୧୫ରେ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ୟେମେନ୍ ସରକାରଙ୍କୁ ସମର୍ଥନ କରିବା ପାଇଁ ସାଉଦି-ନେତୃତ୍ୱାଧୀନ ମେଣ୍ଟ ହସ୍ତକ୍ଷେପ କରିଥିଲା।




