ମୁମ୍ବାଇ: ଅଭିନେତା ରଣବୀର ସିଂହ ୧୦୦୦ ଝିଅଙ୍କ ଶିକ୍ଷାରେ ସହାୟତା କରିବାକୁ ସଙ୍କଳ୍ପ ନେଇଛନ୍ତି। ଗଣେଶ ଚତୁର୍ଥୀ ଅବସରରେ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା ପଣ୍ଡାଲରେ ପହଞ୍ଚି ସେ ‘ସେବା ସଙ୍କଳ୍ପ ଅଭିଯାନ’ରେ ସାମିଲ ହେବା ନେଇ ଏହି ଘୋଷଣା କରିଛନ୍ତି।

ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଓ ଗଣେଶ ଚତୁର୍ଥୀ ଅବସରରେ ରଣବୀର ଏହି ସଙ୍କଳ୍ପ ନେଇଛନ୍ତି। ଲାଲବାଗଚା ରାଜାଙ୍କ ଦର୍ଶନ ପରେ ସେ କହିଥିଲେ ଯେ ଗତ ବର୍ଷଟି ତାଙ୍କ ଓ ପରିବାର ପାଇଁ ଖୁସିରେ ଭରିଥିଲା। ଏଥିପାଇଁ ବାପ୍ପାଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଯାତ୍ରା ପାଇଁ ଆଶୀର୍ବାଦ ନେବାକୁ ସେ ଏଠାକୁ ଆସିଥିବା କହିଥିଲେ।

ଶିକ୍ଷା ପାଇଁ ସହାୟତା

ରଣବୀର କହିଛନ୍ତି, ଗଣେଶ ଚତୁର୍ଥୀ ଓ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେ ‘ସେବା ସଙ୍କଳ୍ପ ଅଭିଯାନ’ ସହ ଯୋଡ଼ି ହୋଇ ୧୦୦୦ ଝିଅଙ୍କ ଶିକ୍ଷାରେ ସହାୟତା କରିବାକୁ ସଙ୍କଳ୍ପ ନେଉଛନ୍ତି।

ଏହି ଅଭିଯାନରେ ଅନ୍ୟ କେତେକ ବଲିଉଡ୍‌ କଳାକାର ମଧ୍ୟ ସାମିଲ ହୋଇଛନ୍ତି। ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟ ୨୦ଟି ସ୍କୁଲର ପୁନରୁଦ୍ଧାରରେ ସହଯୋଗ କରିବାକୁ ସଙ୍କଳ୍ପ ନେଇଥିବା ରିପୋର୍ଟ ହୋଇଛି।

ରଣବୀରଙ୍କ ଏହି ଘୋଷଣା ପରେ ଝିଅମାନଙ୍କ ଶିକ୍ଷାକୁ ନେଇ ‘ସେବା ସଙ୍କଳ୍ପ ଅଭିଯାନ’ର ପଦକ୍ଷେପ ଚର୍ଚ୍ଚାକୁ ଆସିଛି।