ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ର ଚାଲିଥିବା ଯୁକ୍ତ ତିନି (+3) ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାର ସ୍ୱଚ୍ଛତା ଓ ସୁରକ୍ଷା ଉପରେ ପୁଣି ଥରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରୀକ୍ଷା ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ କେତେକ ବିଷୟର ପ୍ରଶ୍ନପତ୍ର ହାଟସଆପ୍ ଗ୍ରୁପ୍‌ଗୁଡ଼ିକରେ ଭାଇରାଲ୍ ହୋଇଥିବା ନେଇ ଗୁରୁତର ଅଭିଯୋଗ ଆସିବା ପରେ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୩୦୦ ରୁ ଅଧିକ ଅନୁବନ୍ଧିତ କଲେଜରେ ଗତ ସେପ୍ଟେମ୍ବର ୧୨ ତାରିଖରୁ ଏହି +3 ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷା ଦିନ ସକାଳ ୧୦ ଟାରୁ ଦିପହର ୧ ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ପରୀକ୍ଷା ପରିଚାଳିତ ହେଉଛି। କିନ୍ତୁ ପରୀକ୍ଷାର୍ଥୀମାନେ ହଲ୍‌ରେ ବସିବା ପୂର୍ବରୁ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଘୁରି ବୁଲିବା ଘଟଣା ପରୀକ୍ଷା ପରିଚାଳନା ବ୍ୟବସ୍ଥାର ନିୟମାବଳୀକୁ ନେଇ ସନ୍ଦେହ ସୃଷ୍ଟି କରିଛି।

ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ହୃଷୀକେଶ ନାୟକ ସ୍ୱୀକାର କରିଛନ୍ତି। ଏହି ଘଟଣାର ନିରପେକ୍ଷ ଓ ସମ୍ପୂର୍ଣ୍ଣ ତଦନ୍ତ କରାଯିବ ବୋଲି ସେ ଦୃଢ଼ ଆଶ୍ୱାସନା ଦେଇଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ସ୍ୱୟଂ ଏହି ତଦନ୍ତର ନେତୃତ୍ୱ ନେବେ।

ଏହା ସହିତ ଭାଇରାଲ୍ ପ୍ରଶ୍ନପତ୍ରର ସତ୍ୟାସତ୍ୟ ଯାଞ୍ଚ କରିବା ଏବଂ ଏହାର ମୂଳ ଉତ୍ସକୁ ଚିହ୍ନଟ କରିବା ପାଇଁ ସାଇବର ପୋଲିସ ଥାନା ରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

ତଦନ୍ତ ମାଧ୍ୟମରେ କେଉଁ କେଉଁ ବିଷୟର ପ୍ରଶ୍ନପତ୍ର ପ୍ରକାଶ ପାଇଛି ଏବଂ କେଉଁ ମାଧ୍ୟମରେ ଏହା ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଲା, ତାହାର ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ। ଏହି ବେଆଇନ କାର୍ଯ୍ୟରେ ଯେଉଁମାନେ ବି ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କ ବିରୋଧରେ କଠୋର ଆଇନଗତ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପ୍ରଚଳିତ ନିୟମ ଅନୁଯାୟୀ, ବିଶ୍ୱବିଦ୍ୟାଳୟରୁ ପ୍ରଶ୍ନପତ୍ର ସିଲ୍ ହୋଇ କଲେଜଗୁଡ଼ିକୁ ପଠାଯାଏ ଏବଂ ପରୀକ୍ଷା ଆରମ୍ଭର ମାତ୍ର ୩୦ ମିନିଟ୍ ପୂର୍ବରୁ ସିଲ୍ ଖୋଲିବାର ନିୟମ ରହିଛି। ଏହି କଠୋର ସୁରକ୍ଷା ନିୟମକୁ କେଉଁଠି ଓ କିପରି ଉଲ୍ଲଂଘନ କରାଗଲା, ସେ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଶେଷ ସମୀକ୍ଷା କରୁଛନ୍ତି।