ଭୋପାଳ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନଙ୍କ ସୋସିଆଲ ମିଡିଆ ଫଟୋକୁ ନେଇ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି। ଦୀପାବଳି ଅବସରରେ ଭୋପାଳ ରାଜପରିବାରର ପ୍ରାୟ ୨୦୦ ବର୍ଷ ପୁରୁଣା ଏକ ପାନ୍ନା ପେଣ୍ଡେଣ୍ଟ ପିନ୍ଧିଥିବାରୁ ମଧ୍ୟପ୍ରଦେଶ କଂଗ୍ରେସ ମୁଖପାତ୍ର ଆବାସ ହାଫିଜ୍ ତାଙ୍କୁ ଆଇନଗତ ନୋଟିସ୍ ପଠାଇଛନ୍ତି। ଉକ୍ତ ପେଣ୍ଡେଣ୍ଟରେ ପବିତ୍ର କୁରାନର ଆୟାତ ଲେଖାଯାଇଥିବା ଅଭିଯୋଗ କରି ସେ ସୋସିଆଲ ମିଡିଆରୁ ଫଟୋ ହଟାଇବା ସହ ସାର୍ବଜନୀନ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ତେବେ ଏହି ବିବାଦ ମଧ୍ୟରେ ହିନ୍ଦୁ ଉତ୍ସବ ସମିତି ଏବଂ ସଂସ୍କୃତି ବଞ୍ଚାଅ ମଞ୍ଚ କରୀନା କପୁରଙ୍କ ସମର୍ଥନରେ ବାହାରିଛନ୍ତି।
ସେଲିବ୍ରିଟି ଷ୍ଟାଇଲିଷ୍ଟ ରିୟା କପୁର ଦୀପାବଳି ଲୁକ୍ ଭାବେ କରୀନାଙ୍କ ଏହି ଫଟୋ ସେୟାର କରିଥିଲେ, ଯାହା ଭୋପାଳର ପୂର୍ବତନ ରାଜପରିବାରର ଏକ ପାରମ୍ପରିକ ଗହଣା ଅଟେ। ଆବାସ ହାଫିଜ୍ଙ୍କ ଓକିଲ ମହମ୍ମଦ ଜାଫର ନୋଟିସରେ ଦର୍ଶାଇଛନ୍ତି ଯେ ପେଣ୍ଡେଣ୍ଟରେ କୁରାନର ପବିତ୍ର ବାଣୀ ଲେଖାଅଛି, ଯାହାକୁ ଇସଲାମରେ ଅତ୍ୟନ୍ତ ପବିତ୍ର ମନେ କରାଯାଏ। ଏହାକୁ ଏଭଳି ଫ୍ୟାଶନ୍ ଭାବେ ପ୍ରଦର୍ଶନ କରିବା ଦ୍ୱାରା ମୁସଲିମ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଲାଗିଛି। ତେବେ ହାଫିଜ୍ ସ୍ପଷ୍ଟ କରିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ପଦକ୍ଷେପ ଏବଂ ଏହାର କଂଗ୍ରେସ ଦଳ ସହ କୌଣସି ସମ୍ପର୍କ ନାହିଁ।
ଉଲ୍ଲେଖଯୋଗ୍ୟ ଯେ ଅଭିନେତା ସୈଫ୍ ଅଲି ଖାନଙ୍କ ଜେଜେମାଆ ସାଜିଦା ସୁଲତାନ ଭୋପାଳର ଶେଷ ଶାସକ ନବାବ ହମିଦୁଲ୍ଲା ଖାନଙ୍କ କନ୍ୟା ଥିଲେ। ସେ ଇଫ୍ତିଖାର ଅଲି ଖାନ ପଟୌଦୀଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କ ପୁଅ ଥିଲେ ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ମନସୁର ଅଲି ଖାନ ପଟୌଦୀ। ତେଣୁ ଏହି ଐତିହାସିକ ଗହଣା ପଟୌଦୀ ପରିବାରର ପୈତୃକ ସମ୍ପତ୍ତି ଅଟେ।
ଅନ୍ୟପକ୍ଷରେ ହିନ୍ଦୁ ଉତ୍ସବ ସମିତିର ଅଧ୍ୟକ୍ଷ ଚନ୍ଦ୍ରଶେଖର ତିୱାରୀ କରୀନାଙ୍କୁ ସମର୍ଥନ କରି କହିଛନ୍ତି ଯେ ତାଙ୍କୁ କାହାକୁ କ୍ଷମା ମାଗିବାର କୌଣସି ଆବଶ୍ୟକତା ନାହିଁ। ସେ ଯୁକ୍ତି ବାଢ଼ିଛନ୍ତି, “ପେଣ୍ଡେଣ୍ଟ ବେକରେ ଅର୍ଥାତ୍ ହୃଦୟର ଅତି ନିକଟରେ ପିନ୍ଧାଯାଏ। ଯଦି ଏଥିରେ କୁରାନର ଆୟାତ ଲେଖାଅଛି, ତେବେ ସେ ଏହାକୁ କୌଣସି ଅସମ୍ମାନଜନକ ସ୍ଥାନରେ ପିନ୍ଧି ନାହାନ୍ତି। ଭୋପାଳ ରାଜପରିବାରର ବୋହୂ ଭାବେ ନିଜ ଶାଶୂଙ୍କ ଗହଣା ପିନ୍ଧିବାର ତାଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି।”
ବର୍ତ୍ତମାନ ସୁଦ୍ଧା ଏହି ଆଇନଗତ ନୋଟିସ୍ ଉପରେ କରୀନା କପୁର କିମ୍ବା ତାଙ୍କ ଟିମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।




