ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁଲଗାମ ଜିଲ୍ଲାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଗୁରୁବାର ସୁରକ୍ଷା ବାହିନୀର ମିଳିତ ଟିମ୍ ପକ୍ଷରୁ ପୁଣିଥରେ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ଏହି ଆକ୍ରମଣରେ ସାମିଲ ଥିବା ଦୁଇ ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଅନ୍ୟପକ୍ଷରେ, ବାରାମୁଲ୍ଲା ଜିଲ୍ଲାରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି, ଯେଉଁଠାରେ ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍ ସହ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟ ସମୟରେ ଶ୍ରୀନଗରଠାରୁ ପ୍ରାୟ ୭୫ କିଲୋମିଟର ଦୂର ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ଅନ୍ତର୍ଗତ ମୀର ବଜାର ନିକଟରେ ଏହି ଆକ୍ରମଣ ଘଟିଥିଲା। ଘଞ୍ଚ ଜଙ୍ଗଲ ଭିତରୁ ଦୁଇଜଣ ସଶସ୍ତ୍ର ଆତଙ୍କବାଦୀ ହଠାତ୍ ବାହାରି ସିଆରପିଏଫ୍ ପୋଷ୍ଟ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲେ। ଏଥିରେ ତିନିଜଣ ସିଆରପିଏଫ୍ ଯବାନ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆକ୍ରମଣ ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଫେରାର ହୋଇଯାଇଥିଲେ।

ଘଟଣା ପରେ ତୁରନ୍ତ ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳରେ କର୍ଡନ୍ ଆଣ୍ଡ ସର୍ଚ୍ଚ ଅପରେସନ (CASO) ଆରମ୍ଭ ହୋଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯିବା ସହ ସଶସ୍ତ୍ର ଯାନ ମୁତୟନ କରାଯାଇଛି। ସୁରକ୍ଷା ଚେକ୍‌ପୋଷ୍ଟଗୁଡ଼ିକରେ ଯାନବାହନଗୁଡ଼ିକର କଡ଼ା ଯାଞ୍ଚ କରାଯାଉଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକ ମାନବୀୟ ଗୁଇନ୍ଦା ଏବଂ ବୈଷୟିକ ସହାୟତାର ଉପଯୋଗ କରୁଛନ୍ତି।

ଏହାମଧ୍ୟରେ ବାରାମୁଲ୍ଲା ଜିଲ୍ଲାର ବଦେରକୋଟ ଜଙ୍ଗଲରେ ‘ଏରିଆ ଡୋମିନେସନ ପାଟ୍ରୋଲ’ (ADP) ସମୟରେ ସୁରକ୍ଷା ବାହିନୀ ବଡ଼ ସଫଳତା ପାଇଛି। ବିଏସଏଫ୍ (BSF), ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ୍ ଏବଂ ଜମ୍ମୁ-କଶ୍ମୀର ପୁଲିସର ମିଳିତ ଅଭିଯାନରେ ତଙ୍ଗମାର୍ଗ ଅଞ୍ଚଳର ବଦେରକୋଟ ନିବାସୀ ଗୁଲାମ ଜୀଲାନୀ ରେଶୀ ନାମକ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ପ୍ରଥମେ ତା’ ନିକଟରୁ ଗୋଟିଏ ହ୍ୟାଣ୍ଡ ଗ୍ରେନେଡ୍ ଜବତ ହୋଇଥିବା ବେଳେ ପଚରାଉଚରା ପରେ ତା’ର ସୂଚନା ଆଧାରରେ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଆଉ ଏକ ଗ୍ରେନେଡ୍ ଉଦ୍ଧାର କରାଯାଇଛି। ଏନେଇ ତଙ୍ଗମାର୍ଗ ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ଏହି ବିସ୍ଫୋରକ କେଉଁଠାରୁ ଆସିଲା ସେନେଇ ଅଧିକ ତଦନ୍ତ ଜାରି ରହିଛି।