କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ପାଟଣା ବନ ରେଞ୍ଜ ଅଧୀନ ମଙ୍ଗଳପୁର ପାଟନାଳୀ ସାହି ନିକଟରେ ୨୬ ଟିକିଆ ହାତୀପଲ ଡେରା ପକାଇଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।

ସୂଚନା ଅନୁଯାୟୀ, ଗତ ପ୍ରାୟ ଦୁଇ ସପ୍ତାହ ଧରି ୧୯ ଟିକିଆ ହାତୀପଲ ପାଟଣା ଅଞ୍ଚଳର ବିଭିନ୍ନ ଗାଁରେ ଘୂରିବୁଲି ଉପଦ୍ରବ କରୁଥିଲେ। ଗତକାଲି ଏହି ହାତୀପଲ ମଧ୍ୟରେ ଏକ ହାତୀ ଶାବକ ଜନ୍ମ ନେଇଥିବା ଜଣାପଡ଼ିଛି। ଶାବକ ଜନ୍ମ ହେବା ପରେ ଆଜି ଦିନତମାମ ହାତୀପଲ ମଙ୍ଗଳପୁର ପାଟନାଳୀ ଗାଁ ନିକଟରେ ରହିଥିଲେ।

ହାତୀ ଶାବକକୁ ଅନ୍ୟ ହାତୀମାନେ ଘେରି ରହି ଯତ୍ନ ନେଉଥିବାର ଦୃଶ୍ୟ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି। ଶାବକ ଥିବାରୁ ହାତୀପଲ ନିଜ ଅଞ୍ଚଳ ଛାଡ଼ି ଦୂର ଜଙ୍ଗଲକୁ ଯିବାର ସମ୍ଭାବନା କମ୍‌ ଥିବା ପାଟଣା ରେଞ୍ଜର କହିଛନ୍ତି। ଶାବକକୁ ସୁରକ୍ଷା ଦେବା ପାଇଁ ହାତୀପଲ ଆଖପାଖ ଅଞ୍ଚଳରେ ହିଁ ରହିପାରନ୍ତି। ଏଥିପାଇଁ ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଇଛି।

ଏହି ୧୯ ଟିକିଆ ହାତୀପଲରେ ଆଉ ୬ଟି ହାତୀ ମିଶିବା ପରେ ଏହା ୨୬ ଟିକିଆ ହାତୀପଲରେ ପରିଣତ ହୋଇଛି। ହାତୀପଲ ଗାଁ ନିକଟରେ ରହୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ହାତୀପଲ ଘରଦ୍ୱାର ଭାଙ୍ଗିବା ସହ ଧାନ, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ନଷ୍ଟ କରୁଛନ୍ତି। ଏଥିଯୋଗୁଁ ଅନେକ ପରିବାର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ହାତୀପଲଙ୍କୁ ତୁରନ୍ତ ଜନବସତି ଅଞ୍ଚଳରୁ ଦୂରେଇବା ସହ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ନିୟମାନୁସାରେ କ୍ଷତିପୂରଣ ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।