ବୌଦ୍ଧ: ଗଞ୍ଜେଇ ଡିଲ୍କୁ ନେଇ ଏକ ଅଡିଓ ଭାଇରାଲ୍ ହେବା ପରେ ବୌଦ୍ଧ ଜିଲ୍ଲା ପୁଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ତଦନ୍ତ ଜାରି ଥିବାବେଳେ ପୁଲିସ ବିଭାଗ ପକ୍ଷରୁ କିଛି ଅଧିକାରୀ ଓ କର୍ମଚାରୀଙ୍କ ବଦଳି କରାଯାଇଛି।
ସୋମବାର ଜିଲ୍ଲା ପୁଲିସ ପକ୍ଷରୁ ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ନଳିନୀକାନ୍ତ ଦାସଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ, ପୁରୁଣାକଟକ ଥାନା ଅଧିକାରୀ ରାଜେନ୍ଦ୍ର ମୁନିଙ୍କୁ ବୌଦ୍ଧ ଆଦର୍ଶ ଥାନାକୁ ଏବଂ ଜିଲ୍ଲା ମୁଖ୍ୟାଳୟରେ ଥିବା ଆଇଆଇସି ବବିତା ସାହୁଙ୍କୁ ପୁରୁଣାକଟକ ଥାନାକୁ ବଦଳି କରାଯାଇଛି।
ସେହିପରି ୩ ଜଣ ଏଏସଆଇଙ୍କର ମଧ୍ୟ ବଦଳି ହୋଇଛି। ବଘିଆପଡ଼ା ଫାଣ୍ଡି ଅଧିକାରୀ ଏଏସଆଇ ପ୍ରାଣବନ୍ଧୁ ସାହୁଙ୍କୁ ବୌଦ୍ଧ ଆରଓ, ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ଏଏସଆଇ ବ୍ରହ୍ମାନନ୍ଦ ପ୍ରଧାନଙ୍କୁ ବଘିଆପଡ଼ା ଫାଣ୍ଡି ଏବଂ ଆରଓରେ କାର୍ଯ୍ୟରତ ଏଏସଆଇ ପୀତବାସ ବେହେରାଙ୍କୁ ଜହ୍ନାପଙ୍କ ଫାଣ୍ଡିକୁ ବଦଳି ନିର୍ଦ୍ଦେଶ ହୋଇଛି।
ଭାଇରାଲ୍ ଅଡିଓରେ ଯେଉଁ ଅଧିକାରୀଙ୍କ ନାମ ଆସୁଥିବା କୁହାଯାଉଛି, ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ନାମ ଏହି ବଦଳି ତାଲିକାରେ ରହିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ର ହାଟଗାଁ ଛକ ନିକଟରେ ଜଣେ ପୁଲିସ କର୍ମଚାରୀ ଗଞ୍ଜେଇ ଭର୍ତ୍ତି ଏକ ଗାଡ଼ି ଜବତ କରିଥିଲେ। ଘଟଣାରେ ଗୋଟିଏ ଗାଡ଼ି ସହ ପ୍ରାୟ ୧ କ୍ୱିଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ଏବଂ ଦୁଇଜଣ ବ୍ୟକ୍ତି ଧରାପଡ଼ିଥିଲେ।
ଭାଇରାଲ୍ ଅଡିଓରେ ପ୍ରାୟ ୪ ଜଣ ବ୍ୟକ୍ତିଙ୍କ ମଧ୍ୟରେ କଥୋପକଥନ ଥିବାବେଳେ ଗଞ୍ଜେଇ କେଉଁ ଅଫିସର ଦେଇଛନ୍ତି ଏବଂ ‘ସାହେବ’ କେତେ ଟଙ୍କା ନେବେ, ସେନେଇ ଆଲୋଚନା ହେଉଥିବା ଦାବି କରାଯାଇଛି। ଅଡିଓରେ ୪ ଲକ୍ଷ ଟଙ୍କାର କାରବାର, ଟେପ୍ମରା ପ୍ୟାକିଂ ଗଞ୍ଜେଇ ଏବଂ ୪ ଦିନ ତଳେ ଗଞ୍ଜେଇ ଛାଡ଼ିବା ପ୍ରସଙ୍ଗରେ ‘ସାର୍’ ଓ ‘ସାହେବ’ଙ୍କ ନାମ ବାରମ୍ବାର ଉଲ୍ଲେଖ ହୋଇଥିବା ଜଣାପଡ଼ିଛି।
ଏହି କଥୋପକଥନ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ତେବେ ଅଡିଓର ସତ୍ୟତା ଓ ଏଥିରେ ଥିବା ଅଭିଯୋଗର ତଦନ୍ତ ଜାରି ରହିଛି। ବୌଦ୍ଧ ଏସ୍ପି କୁଳଦୀପ ମୀନା ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପୂର୍ବରୁ କହିଥିଲେ।




