ବ୍ରହ୍ମପୁର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଭାରୀ ବର୍ଷା ଓ ଭୂସ୍ଖଳନ ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ୩ ଦିନ ପାଇଁ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ଭାରୀ ବର୍ଷାକୁ ନେଇ ସତର୍କତା

IMD ପୂର୍ବାନୁମାନ ଅନୁସାରେ ଗଞ୍ଜାମରେ ସେପ୍ଟେମ୍ବର ୨୩ ଓ ୨୪ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ଭାରୀ ବର୍ଷା ସହ ପବନର ବେଗ ମଧ୍ୟ ୫୦-୬୦ କିମି ପ୍ରତିଘଣ୍ଟା ପର୍ଯ୍ୟନ୍ତ ରହିପାରେ।

ଭୂସ୍ଖଳନପ୍ରବଣ ଅଞ୍ଚଳ ଉପରେ ନଜର

ଜିଲ୍ଲା ପ୍ରଶାସନ କାଳିଙ୍ଗା ଘାଟ ସମେତ ଭୂସ୍ଖଳନପ୍ରବଣ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିଛି। ଭାରୀ ବର୍ଷା ସମୟରେ ବିପଦ ଆଶଙ୍କା ଥିବାରୁ କାଳିଙ୍ଗା ଘାଟ ଦେଇ ଯାତାୟାତକୁ ସେପ୍ଟେମ୍ବର ୨୩ ଓ ୨୪ରେ ବନ୍ଦ ରଖିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ବିକଳ୍ପ ରାସ୍ତା ବ୍ୟବହାର ପାଇଁ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ପରାମର୍ଶ ଦିଆଯାଇଛି।

ଜରୁରୀ ପରିସ୍ଥିତି ପାଇଁ ପ୍ରସ୍ତୁତି

ଗଞ୍ଜାମରେ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ସକ୍ରିୟ କରାଯାଇଛି। ବନ୍ୟା ଓ ଜଳବନ୍ଦୀ ପ୍ରବଣ ଅଞ୍ଚଳ ଚିହ୍ନଟ କରାଯାଇଥିବାବେଳେ ଆବଶ୍ୟକ ପଡ଼ିଲେ ନଦୀ ଓ ସମୁଦ୍ର ନିକଟବର୍ତ୍ତୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଦୁଇଟି ସ୍ୱତନ୍ତ୍ର ODRAF ଟିମ୍‌କୁ ମଧ୍ୟ ଗଞ୍ଜାମରେ ମୁତୟନ କରାଯାଇଛି।

ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା ଏବଂ ଭାରୀ ବର୍ଷା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।