ଭୁବନେଶ୍ୱର: ଖଦି କେବଳ ଏକ ବସ୍ତ୍ର ନୁହେଁ, ଏହା ସ୍ୱଦେଶୀ ଚିନ୍ତାଧାରା, ସ୍ୱାବଲମ୍ବନ ଓ ଭାରତୀୟ ପରମ୍ପରାର ପ୍ରତୀକ। ଆଧୁନିକ ଫ୍ୟାଶନ୍ର ଚାହିଦା ଭିତରେ ଖଦି ପ୍ରତି ଆକର୍ଷଣ କମୁଥିବା ବେଳେ ଏହି ପାରମ୍ପରିକ ବସ୍ତ୍ର ଓ ଚରଖାର ଐତିହ୍ୟକୁ ଆଗକୁ ନେବାରେ ଲାଗିଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦାର ମହାମାୟା ତେଜାନୀ ବିଶ୍ୱାଳ। ତିନି ପିଢ଼ି ଧରି ଚାଲିଆସିଥିବା ପାରିବାରିକ ପରମ୍ପରାକୁ ସେ କେବଳ ସୁରକ୍ଷିତ ରଖିନାହାନ୍ତି, ବରଂ ଏହାକୁ ମହିଳାଙ୍କ ରୋଜଗାରର ମାଧ୍ୟମ କରିପାରିଛନ୍ତି।
ଜେଜେବାପାଙ୍କଠାରୁ ଆରମ୍ଭ ହୋଇଥିଲା ଖଦିର ଯାତ୍ରା
ମହାମାୟାଙ୍କ ପରିବାରରେ ଖଦି ପରମ୍ପରାର ମୂଳଦୁଆ ପକାଇଥିଲେ ତାଙ୍କ ଜେଜେବାପା ହରେକୃଷ୍ଣ ବିଶ୍ୱାଳ। ସେ ‘ବାଲିକୁଦା ଗାନ୍ଧୀ’ ଭାବେ ପରିଚିତ ଥିଲେ। ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କ ‘କୁଟି ଖାଅ, କାଟି ପିନ୍ଧ’ ଆହ୍ୱାନରେ ଅନୁପ୍ରାଣିତ ହୋଇ ସେ ଖଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ପରେ ସେ ନିଜ ପୁଅ ପ୍ରତାପ କେଶରୀ ବିଶ୍ୱାଳଙ୍କୁ ମଧ୍ୟ ସ୍ୱଦେଶୀ ଓ ଆତ୍ମନିର୍ଭରଶୀଳତାର ଏହି ଆଦର୍ଶ ସହ ଯୋଡ଼ିଥିଲେ।
ବାପାଙ୍କ ଶେଷ ଅନୁରୋଧ ପାଲଟିଗଲା ଜୀବନର ଲକ୍ଷ୍ୟ
ପରିବାରର ଏହି ପରମ୍ପରା ଦିନେ ସଙ୍କଟରେ ପଡ଼ିଥିଲା। ମହାମାୟାଙ୍କ ବାପା ପ୍ରତାପ କେଶରୀ କର୍କଟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇପଡ଼ିଥିଲେ। ରୋଗର ଶେଷ ପର୍ଯ୍ୟାୟରେ ସେ କଥା କହିବାକୁ ମଧ୍ୟ ଅସମର୍ଥ ଥିଲେ। ଏପରି ସମୟରେ ଦିନେ ତାଙ୍କ ପାଖରେ ବସିଥିବା ମହାମାୟାଙ୍କୁ ଠାରରେ ଖଦି କାମକୁ ଜାରି ରଖିବାକୁ ଅନୁରୋଧ କରିଥିଲେ।
ବାପାଙ୍କ ସେହି ନିରବ ଅନୁରୋଧ ମହାମାୟାଙ୍କ ଜୀବନର ଦିଗ ବଦଳାଇ ଦେଇଥିଲା। ନିଜେ ଖଦି ସମ୍ପର୍କରେ ବିଶେଷ ଜ୍ଞାନ ରଖିନଥିଲେ ମଧ୍ୟ ସେ ଏହି ଦାୟିତ୍ୱକୁ ଗ୍ରହଣ କରିଥିଲେ। ତାଙ୍କ କହିବା ଅନୁଯାୟୀ, ଖଦିର ‘ଖ’ ଅକ୍ଷର ମଧ୍ୟ ଜାଣିନଥିବା ସେହି ସମୟରେ ଏହାକୁ ନିଜ ଜୀବନର ଅଭିନ୍ନ ଅଙ୍ଗ କରିନେଇଥିଲେ।
ବିବାହର ମାତ୍ର ପାଞ୍ଚ ବର୍ଷ ପରେ ସ୍ୱାମୀଙ୍କୁ ହରାଇଥିବା ମହାମାୟା ଦୁଃଖରେ ଭାଙ୍ଗି ନପଡ଼ି ପାରିବାରିକ ଐତିହ୍ୟକୁ ବଞ୍ଚାଇ ରଖିବାରେ ଲାଗିପଡ଼ିଥିଲେ।
୪୫ ମହିଳାଙ୍କୁ ମିଳୁଛି କାମର ସୁଯୋଗ
ଏହି ଉଦ୍ୟମକୁ ସଂଗଠିତ ରୂପ ଦେବା ପାଇଁ ମହାମାୟା ‘ଖଦି ଉଦ୍ୟୋଗ ମନ୍ଦିର’ ଗଠନ କରିଛନ୍ତି। ଏହି ଅନୁଷ୍ଠାନରେ ମୋଟ ୪୫ ଜଣ ମହିଳା ବିଭିନ୍ନ ପର୍ଯ୍ୟାୟର ଖଦି ଉତ୍ପାଦନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ସେଥିମଧ୍ୟରୁ ୧୫ ଜଣ ମହିଳା ଚରଖାରେ ସୂତା କାଟୁଥିବା ବେଳେ ୧୦ ଜଣ ତନ୍ତରେ କପଡ଼ା ବୁଣୁଛନ୍ତି। ଅନ୍ୟ ୨୦ ଜଣ ମହିଳା ସିଲେଇ ମେସିନ୍ରେ ବିଭିନ୍ନ ପ୍ରକାର ପୋଷାକ ପ୍ରସ୍ତୁତ କରୁଛନ୍ତି। ଏହାଦ୍ୱାରା ମହିଳାମାନେ ନିଜ ଦକ୍ଷତା ଅନୁଯାୟୀ କାମ କରି ରୋଜଗାରର ସୁଯୋଗ ପାଉଛନ୍ତି।
ଏହି କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ଲାଗି ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ପିଏମ୍ ବିଶ୍ୱକର୍ମା ଯୋଜନାରେ ୨୦ଟି ସିଲେଇ ମେସିନ୍ ଯୋଗାଇ ଦିଆଯାଇଛି।
ଖଦି ପରମ୍ପରାକୁ ନୂଆ ପିଢ଼ି ସହ ଯୋଡ଼ିବାର ପ୍ରୟାସ
ବର୍ତ୍ତମାନ ଭୁବନେଶ୍ୱରରେ ଆୟୋଜିତ ‘ଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ’ରେ ମହାମାୟାଙ୍କ ଷ୍ଟଲ୍ ତାଙ୍କର ଏହି ସଂଘର୍ଷ ଓ ସଫଳତାର କାହାଣୀକୁ ସାମ୍ନାକୁ ଆଣିଛି। ତାଙ୍କ ପାଇଁ ଖଦି କେବଳ ପରିବାରର ପୁରୁଣା ବ୍ୟବସାୟ ନୁହେଁ, ଏହା ଏକ ଐତିହ୍ୟ ଓ ଦାୟିତ୍ୱ।
ଜେଜେବାପାଙ୍କଠାରୁ ଆରମ୍ଭ ହୋଇ ବାପାଙ୍କ ହାତ ଦେଇ ତାଙ୍କ ପାଖରେ ପହଞ୍ଚିଥିବା ଏହି ପରମ୍ପରାକୁ ମହାମାୟା ନିଜ ଉଦ୍ୟମରେ ଆଗକୁ ବଢ଼ାଉଛନ୍ତି। ଖଦି ଉତ୍ପାଦନ ସହ ୪୫ ଜଣ ମହିଳାଙ୍କୁ ରୋଜଗାର ଦେଇ ସେ ସ୍ୱଦେଶୀ ଚିନ୍ତାଧାରା ଓ ମହିଳା ସ୍ୱାବଲମ୍ବନର ଏକ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଛନ୍ତି।




