ବେଶ୍ରା: ଝାଡଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାସ୍ଥିତ ସରଣ୍ଡା ଜଙ୍ଗଲରେ ବୁଧବାର (୧୫ ଏପ୍ରିଲ ୨୦୨୬) ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ବଡ଼ ଧରଣର ଗୁଳି ବିନିମୟ ଘଟିଛି। ଏହି ସଂଘର୍ଷରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ କୋବ୍ରା (CoBRA) ଯବାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାଞ୍ଚିକୁ ସ୍ଥାନାନ୍ତର କରାଯାଇଛି। ସରଣ୍ଡାର ଚାରାଡେରା ଓ ଡୋଲାଇଗଡ଼ା ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ୍‌ ବେଳେ ଉଭୟ ପକ୍ଷରୁ ତୀବ୍ର ଗୁଳିବର୍ଷା ହୋଇଥିଲା, ଯେଉଁଥିରେ ୫ ଜଣ ଯବାନ ଆହତ ହୋଇଛନ୍ତି।

ମୁକାବିଲା ସମୟରେ ମାଓବାଦୀମାନେ ଲଗାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ୨୦୫ ବାଟାଲିୟନର ଇନ୍ସପେକ୍ଟର ସତ୍ୟପ୍ରକାଶଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଛି। ଅନ୍ୟ ଆହତ ଯବାନମାନେ ହେଲେ ଶୈଳେଶ କୁମାର ଦୁବେ, ଉତ୍ତମ ସେନାପତି, ଜିତେନ୍ଦ୍ର କୁମାର ରାୟ ଓ ପ୍ରେମ କୁମାର। ଶୈଳେଶଙ୍କ ବେକ ଓ ଉତ୍ତମଙ୍କ ହାତରେ ଗୁଳି ଲାଗିଥିବାବେଳେ ଜି‌‌‌ତେନ୍ଦ୍ର ଏବଂ ପ୍ରେମକୁମାରଙ୍କ ପାଦରେ ଗୁଳି ବାଜିଛି।

କୁଖ୍ୟାତ ମାଓବାଦୀ ନେତା ମିଶିର ବେଶ୍ରାଙ୍କ ଗୋଷ୍ଠୀ ଏହି ଅଞ୍ଚଳରେ ଲୁଚି ରହିଥିବା ସୂଚନା ପାଇ କୋବ୍ରା ବାହିନୀ, ଝାଡ଼ଖଣ୍ଡ ଜାଗୁଆର ଏବଂ ଜିଲ୍ଲା ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ବର୍ତ୍ତମାନ ମଧ୍ୟ ସଂପୃକ୍ତ ଅଞ୍ଚଳକୁ ସୁରକ୍ଷାବଳ ଘେରି ରହିବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।