ଭୁବନେଶ୍ୱର: ପର୍ଯ୍ୟଟନ ଶିଳ୍ପର ବିକାଶ ହେଲେ କେବଳ ହୋଟେଲ ଓ ଯାତ୍ରା କ୍ଷେତ୍ର ନୁହେଁ, ଏହା ସହ ଜଡ଼ିତ କୃଷି, ହସ୍ତଶିଳ୍ପ, ପରିବହନ ଓ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରର ମଧ୍ୟ ବିକାଶ ହୋଇପାରିବ। ଓଡ଼ିଶାରେ ବିଭିନ୍ନ ପ୍ରକାର ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ପର୍ଯ୍ୟଟକଙ୍କୁ କେବଳ ଭ୍ରମଣର ଅନୁଭୂତି ନୁହେଁ, ଭାରତୀୟ ସଂସ୍କୃତିର ଗଭୀର ଅନୁଭବ ଦେବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି।

ବାରାଣସୀରେ ଆୟୋଜିତ ଏଫ୍‌ଏଚ୍‌ଆର୍‌ଏଆଇର ୫୬ତମ ବାର୍ଷିକ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଶ୍ରୀ ସିଂହଦେଓ ଏହି ମତ ରଖିଛନ୍ତି। ପର୍ଯ୍ୟଟନର ଭବିଷ୍ୟତ, ଆଧ୍ୟାତ୍ମିକତା, ସଂସ୍କୃତି, ଖାଦ୍ୟ ଓ କଳା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ସେ ଆଲୋଚନା କରିଥିଲେ।

ସ୍ଥାନୀୟ ଅର୍ଥନୀତିକୁ ମିଳିବ ଲାଭ

ଶ୍ରୀ ସିଂହଦେଓ କହିଥିଲେ, ପର୍ଯ୍ୟଟନ ଶିଳ୍ପର ବିକାଶ ସ୍ଥାନୀୟ ଅର୍ଥନୀତିକୁ ମଜଭୁତ କରିପାରିବ। ପ୍ରତ୍ୟେକ ହୋଟେଲରେ ପର୍ଯ୍ୟଟକଙ୍କ ରହଣି ସ୍ଥାନୀୟ ଚାଷୀ, ହସ୍ତଶିଳ୍ପୀ, ପରିବହନ ଓ ଶକ୍ତି କ୍ଷେତ୍ରକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଲାଭ ପହଞ୍ଚାଇଥାଏ। ତେଣୁ ସ୍ଥାନୀୟ ଚାଷୀ ଓ ବ୍ୟବସାୟୀଙ୍କୁ ରୋଜଗାର ଯୋଗାଇବା ପାଇଁ ହୋଟେଲ ଶିଳ୍ପ ସ୍ଥାନୀୟ ଉତ୍ପାଦ କିଣିବା ସହ ପରିବେଶ ଅନୁକୂଳ ସ୍ୱଚ୍ଛ ଶକ୍ତିର ବ୍ୟବହାର କରିବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ।

କାଶୀ-ଓଡ଼ିଶା ଆଧ୍ୟାତ୍ମିକ ସମ୍ପର୍କ

କାଶୀ ଓ ଓଡ଼ିଶା ମଧ୍ୟରେ ଥିବା ଆଧ୍ୟାତ୍ମିକ ସମ୍ପର୍କ ଉପରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। କାଶୀର ବାବା ବିଶ୍ୱନାଥ ଓ ପୁରୀର ମହାପ୍ରଭୁ ଶ୍ରୀଜଗନ୍ନାଥ ହରି-ହରଙ୍କ ଏକତାର ପ୍ରତୀକ ବୋଲି ସେ କହିଥିଲେ।

ଏଥିସହ ସରକାର, ହୋଟେଲ ଶିଳ୍ପ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସମନ୍ୱୟ ରଖି ପର୍ଯ୍ୟଟନର ବିକାଶ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଓଡ଼ିଶାକୁ ନେଇ ପର୍ଯ୍ୟଟନ ସର୍କିଟ୍‌ ପ୍ରସ୍ତାବ

ଓଡ଼ିଶାକୁ ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ସହ ଯୋଡ଼ି ଏକ ବ୍ୟାପକ ପର୍ଯ୍ୟଟନ ସର୍କିଟ୍‌ ଗଠନ କରିବାକୁ ମଧ୍ୟ ଶ୍ରୀ ସିଂହଦେଓ ପ୍ରସ୍ତାବ ଦେଇଥିଲେ। ସ୍ଥାନୀୟ ଐତିହ୍ୟ ଓ ଲୋକଙ୍କ ବିକାଶକୁ ଗୁରୁତ୍ୱ ଦେଇ ପର୍ଯ୍ୟଟନର ଅଭିବୃଦ୍ଧି କରିବାକୁ ସେ ଅଂଶଗ୍ରହଣକାରୀଙ୍କୁ ଆହ୍ୱାନ ଦେଇଥିଲେ।

ଉଦ୍‌ଘାଟନୀ ଅଧିବେଶନରେ ଦେଶର ପ୍ରମୁଖ ପର୍ଯ୍ୟଟନ ସଂସ୍ଥାର ପ୍ରତିନିଧି, ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍‌ର ସଦସ୍ୟ ଏବଂ ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ।