ମୁମ୍ବାଇ: ବଲିଉଡ୍ର ବରିଷ୍ଠ ଅଭିନେତା ଶରତ ସକ୍ସେନାଙ୍କର ୭୬ ବର୍ଷ ବୟସରେ ଏକ ଜଟିଳ ମେରୁଦଣ୍ଡ ଅପରେସନ (Spine Surgery) ସଫଳତାର ସହ ସମ୍ପନ୍ନ ହୋଇଛି। ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଅପରେସନ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କର ସାହସ ଓ ନିଷ୍ଠା ସୋସିଆଲ ମିଡିଆରେ ପ୍ରଶଂସା ପାଉଛି। ଶୁକ୍ରବାର ସକାଳେ ସେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ହସ୍ପିଟାଲରୁ ଘରକୁ ଫେରିବା ପର୍ଯ୍ୟନ୍ତର କିଛି ଫଟୋ ସେୟାର କରି ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି।
‘ଜଣେ ଭଲ ମଣିଷକୁ ଅଧିକ ସମୟ ତଳେ ରଖାଯାଇପାରିବ ନାହିଁ’
ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଫଟୋ ସେୟାର କରି ଶରତ ଲେଖିଛନ୍ତି, “୬ ଘଣ୍ଟାର ସ୍ପାଇନ୍ ସର୍ଜରୀ ଶେଷ ହୋଇଛି, ଜଣେ ଭଲ ମଣିଷକୁ କେବେବି ଅଧିକ ସମୟ ତଳେ ରଖାଯାଇପାରିବ ନାହିଁ।” ହସ୍ପିଟାଲ ବେଡ୍ରେ ଥାଇ ମଧ୍ୟ ସେ ହସୁଥିବା ଦେଖିବାକୁ ମିଳିଛି। ତାଙ୍କ ପାଖରେ ପରିବାର ଲୋକ ଓ ବନ୍ଧୁମାନେ ଉପସ୍ଥିତ ଥିଲେ।
ଅନ୍ୟ କିଛି ଫଟୋରେ ସେ ଲେଖିଛନ୍ତି, “ଆଉ ସୁପ୍ ପିଇବାକୁ ପଡ଼ିବନି!” ଏବଂ “ଆଉ ଠେଙ୍ଗା ଧରି ଚାଲିବାକୁ ପଡ଼ିବନି!”। ଏପରିକି ଘରକୁ ଫେରିବା ବାଟରେ ସେ ନିଜ ବନ୍ଧୁମାନଙ୍କ ସହ ଛୋଟ ଏକ ଉତ୍ସବ ପାଳନ କରୁଥିବା ଫଟୋ ସେୟାର କରି ମଜାଳିଆ ଅନ୍ଦାଜରେ ଲେଖିଛନ୍ତି, “ଆଜି ପାର୍ଟି, କାଲି ଜିମ୍!”।
୧୯୫୦ ଅଗଷ୍ଟ ୧୭ରେ ଜନ୍ମଗ୍ରହଣ କରିଥିବା ଶରତ ସକ୍ସେନା ୭୬ ବର୍ଷ ବୟସରେ ମଧ୍ୟ ନିଜର ଚମତ୍କାର ଫିଟ୍ନେସ୍ ପାଇଁ ପ୍ରସିଦ୍ଧ। ସେ ନିୟମିତ ଭାବେ ଦୈନିକ ପ୍ରାୟ ୨ ଘଣ୍ଟା ଜିମ୍ରେ କସରତ କରନ୍ତି। କିଛି ଦିନ ପୂର୍ବରୁ ସେ ମୁମ୍ବାଇର ବମ୍ବେ ହସ୍ପିଟାଲରେ ଲମ୍ବର ସ୍ପାଇନ୍ ସର୍ଜରୀ ପୂର୍ବରୁ ସ୍ପେଶାଲ ଷ୍ଟାଣ୍ଡିଂ ଏମ୍ଆର୍ଆଇ କରାଉଥିବାର ଫଟୋ ମଧ୍ୟ ସେୟାର କରିଥିଲେ।
୫ ଦଶନ୍ଧିର ସିନେମା ଯାତ୍ରା
ବିଗତ ୫ ଦଶନ୍ଧି ଧରି ଅଭିନୟ କ୍ଷେତ୍ରରେ ସକ୍ରିୟ ଥିବା ଶରତ ସକ୍ସେନା ହିନ୍ଦୀ ସମେତ ବିଭିନ୍ନ ଭାଷାରେ ୨୫୦ରୁ ଉର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଛନ୍ତି। ବିଶେଷ କରି ଖଳନାୟକ ଓ ପାର୍ଶ୍ୱ ଅଭିନେତା ଭାବେ ସେ ବେଶ୍ ଲୋକପ୍ରିୟ। ‘ମିଷ୍ଟର ଇଣ୍ଡିଆ’, ‘ତ୍ରିଦେବ’, ‘ଘାୟଲ’, ‘ଖିଲାଡ଼ି’, ‘ଗୁଲାମ’, ‘ଗୁପ୍ତ’, ‘ଫିର୍ ହେରା ଫେରି’, ‘ବାଗବାନ’, ‘ଫନା’, ‘କ୍ରିଶ୍’, ‘ବଜରଙ୍ଗୀ ଭାଇଜାନ’ ଏବଂ ନିକଟରେ ଆସିଥିବା ଅଜୟ ଦେବଗନ୍ଙ୍କ ‘ସନ୍ ଅଫ୍ ସର୍ଦ୍ଦାର ୨’ରେ ତାଙ୍କର ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି।




