ଭୁବନେଶ୍ୱର: ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର-କାଜା ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ମାମଲାରେ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ସଫଳତା ମିଳିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ମଙ୍ଗରାଜ ଓରଫ ଦୀପୁ (୪୬)କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫ ଦୀପୁ ହେଉଛି ବାଲିଅନ୍ତା ଥାନା ବେଣୁପୁର ଗ୍ରାମର ସ୍ୱର୍ଗତ ପ୍ରତାପ ଚନ୍ଦ୍ର ମଙ୍ଗରାଜଙ୍କ ପୁତ୍ର।

କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଗତ ମେ ୭ ତାରିଖରେ ଏହି ସାଂଘାତିକ ହତ୍ୟାକାଣ୍ଡ ଘଟିଥିଲା। ତଦନ୍ତ ସମୟରେ ମିଳିଥିବା ଦୃଢ଼ ପ୍ରମାଣ ଆଧାରରେ ଗତକାଲି ବିଳମ୍ବିତ ରାତିରେ ଦୀପୁକୁ ଢେଙ୍କାନାଳରୁ କାବୁ କରାଯାଇଥିଲା। ଅଭିଯୁକ୍ତ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ର ଧାରା ୧୦୩(୧) ଏବଂ ୩(୫) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ମୃତକଙ୍କୁ ମରଣାନ୍ତକ ଆକ୍ରମଣ କରିବା ପଛରେ ଏହି ଗିରଫ ଅଭିଯୁକ୍ତର ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଏହି ହତ୍ୟାକାଣ୍ଡ ମାମଲାରେ ଦୀପୁକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଲାଣି।

ତେବେ ମାମଲାର ତଦନ୍ତକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଅତିଶୀଘ୍ର ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।