ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ମହାରାଷ୍ଟ୍ରର ସରକାରୀ ସ୍କୁଲଗୁଡ଼ିକର ଜରାଜୀର୍ଣ୍ଣ ଅବସ୍ଥା ଏବଂ ମୌଳିକ ସୁବିଧାର ଅଭାବକୁ ସାମ୍ନାକୁ ଆଣିବା ପାଇଁ ‘କକ୍ରୋଚ୍ ଜନତା ପାର୍ଟି’ ପକ୍ଷରୁ ‘ସ୍କୁଲ୍ ଠିକ୍ କର’ ଅଭିଯାନ ଆରମ୍ଭ କରାଯାଇଛି।

ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ ଅଗଷ୍ଟ ୧୫ରେ ହିଙ୍ଗୋଲି ଜିଲ୍ଲାର ତାଙ୍କ ପୈତୃକ ଗାଁ ସନ୍ତୁକ ପିମ୍ପରିରୁ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ସରକାରୀ ସ୍କୁଲ ପରିଦର୍ଶନ କରି ସେଠାକାର ଭିତ୍ତିଭୂମି ଓ ମୌଳିକ ସୁବିଧାର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଅଭିଜିତ ସରକାରୀ ସ୍କୁଲଗୁଡ଼ିକରେ ପାଣି ଭଳି ମୌଳିକ ସୁବିଧାର ଅଭାବକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏଭଳି ସ୍ଥିତିରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ଗରିବ ପରିବାରର ପିଲାମାନେ ବୋଲି ସେ କହିଛନ୍ତି।

ସ୍କୁଲଗୁଡ଼ିକ ପାଇଁ ପ୍ରସ୍ତୁତ ହୋଇଛି ଚେକଲିଷ୍ଟ

ଅଭିଜିତଙ୍କ କହିବା ଅନୁସାରେ, ସରକାରୀ ସ୍କୁଲଗୁଡ଼ିକର ବାସ୍ତବ ସ୍ଥିତି ଆକଳନ କରିବା ପାଇଁ ତାଙ୍କ ଦଳ ଏକ ସ୍ୱତନ୍ତ୍ର ଚେକଲିଷ୍ଟ ପ୍ରସ୍ତୁତ କରିଛି। ଏଥିରେ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ପାଣି, ଶୌଚାଳୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସ୍କୁଲରେ ଉପଲବ୍ଧ ଅଛି କି ନାହିଁ, ତାହା ରେକର୍ଡ କରାଯିବ।

ଏହି ଅଭିଯାନ ମାଧ୍ୟମରେ ମହାରାଷ୍ଟ୍ର ସମେତ ଦେଶର ଅନ୍ୟ ଅଞ୍ଚଳର ସରକାରୀ ସ୍କୁଲଗୁଡ଼ିକରୁ ମଧ୍ୟ ତଥ୍ୟ ସଂଗ୍ରହ ଓ ସଂକଳନ କରାଯିବ ବୋଲି ଅଭିଜିତ କହିଛନ୍ତି।

ସେ କହିଛନ୍ତି ଯେ, ସ୍ୱାଧୀନତାର ୮୦ ବର୍ଷ ପରେ ମଧ୍ୟ ଯଦି ସରକାରୀ ସ୍କୁଲରେ ପିଲାଙ୍କ ପାଇଁ ମୌଳିକ ସୁବିଧା ନଥାଏ, ତେବେ ଦେଶର ବିକାଶ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।