ଦିଲ୍ଲୀ: ଭାରତୀୟ ସେନାବାହିନୀ ସର୍ବଦା ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ପୁଣେ ସ୍ଥିତ ପ୍ରତିରକ୍ଷା ଏକାଡେମୀର ୧୫୦ତମ କୋର୍ସର ପାସିଂ ଆଉଟ୍ ପରେଡ୍ରେ ଯୋଗ ଦେଇ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସେନା ବର୍ତ୍ତମାନ ହାଇ ଆଲର୍ଟରେ ରହିଛି ଏବଂ ଆବଶ୍ୟକ ପଡ଼ିଲେ ‘ଅପରେସନ ସିନ୍ଦୂର ୨.୦ ପାଇଁ ପ୍ରସ୍ତୁତି ଚାଲିଛି।
ଖେତ୍ରପାଲ ପରେଡ୍ ଗ୍ରାଉଣ୍ଡରେ କ୍ୟାଡେଟ୍ମାନଙ୍କୁ ସମ୍ବୋଧିତ କରି ସେନାଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି ଯେ, ଶତ୍ରୁତା ବା ବିବାଦର ସାମୟିକ ଅବସାନ ଘଟିଛି, ମାତ୍ର ଅପରେସନ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ। ଯଦି ପରିସ୍ଥିତି ଆବଶ୍ୟକ କରେ, ତେବେ ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନା ମିଳିତ ଭାବେ ‘ଅପରେସନ ସିନ୍ଦୂର ୨.୦’ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛନ୍ତି।
ଜେନେରାଲ ଦ୍ୱିବେଦୀ ଏହି ଅପରେସନକୁ ଭାରତର ସନ୍ତୁଳିତ ଆଭିମୁଖ୍ୟ ଓ ଦୃଢ଼ ସଂକଳ୍ପର ଏକ ସମୁଚିତ ଉଦାହରଣ ବୋଲି ଅଭିହିତ କରିଛନ୍ତି। ସେ ଯୁବ ସେନା ଅଧିକାରୀମାନଙ୍କୁ ସତର୍କ କରାଇ କହିଛନ୍ତି ଯେ, ଆଧୁନିକ ଯୁଗର ସଂକଟ ବା ବିପଦ ସବୁବେଳେ ପାରମ୍ପରିକ ଯୁଦ୍ଧକ୍ଷେତ୍ର କିମ୍ବା ସେନା ପୋଷାକରେ ଆସିନଥାଏ। ତେଣୁ ଭବିଷ୍ୟତର ଅଣ-ପାରମ୍ପରିକ ଏବଂ ଦ୍ରୁତ ପରିବର୍ତ୍ତନଶୀଳ ସୁରକ୍ଷା ଆହ୍ୱାନର ସାମ୍ନା କରିବା ପାଇଁ ସେମାନଙ୍କୁ ସର୍ବଦା ପ୍ରସ୍ତୁତ ରହିବାକୁ ପଡ଼ିବ।




