ନୂଆଦିଲ୍ଲୀ: ଅଶୋଧିତ ତେଲ ଦର ବଢ଼ିବାର ପ୍ରଭାବ ଏବେ ବଲ୍କ ଡିଜେଲ୍‌ ଉପରେ ପଡ଼ିଛି। ତୈଳ ବିପଣନ କମ୍ପାନିଗୁଡ଼ିକ ବଲ୍କ ଡିଜେଲ୍‌ ଦର ଲିଟର ପିଛା ୧୪ ଟଙ୍କା ୬୦ ପଇସା ବଢ଼ାଇଛନ୍ତି। ଫଳରେ ଶିଳ୍ପ, ବାଣିଜ୍ୟିକ ପ୍ରତିଷ୍ଠାନ ଓ ବଡ଼ ସଂସ୍ଥାଗୁଡ଼ିକ ପାଇଁ ଡିଜେଲ୍‌ କିଣିବା ଖର୍ଚ୍ଚ ବଢ଼ିଛି।

ସେପ୍ଟେମ୍ବରରେ ବଲ୍କ ଡିଜେଲ୍‌ର ଦର ଲିଟର ପିଛା ୧୩୮ ଟଙ୍କା ୯୭ ପଇସା ଥିବାବେଳେ ଏବେ ଏହା ୧୫୩ ଟଙ୍କା ୫୭ ପଇସାରେ ପହଞ୍ଚିଛି। ଅନ୍ୟପକ୍ଷରେ ଦିଲ୍ଲୀରେ ସାଧାରଣ ଗ୍ରାହକଙ୍କ ପାଇଁ ପେଟ୍ରୋଲ୍‌ ପମ୍ପରେ ଡିଜେଲ୍‌ ଦର ୯୫ ଟଙ୍କା ୬୪ ପଇସାରେ ଅପରିବର୍ତ୍ତିତ ରହିଛି। ଫଳରେ ଉଭୟ ଦର ମଧ୍ୟରେ ଲିଟର ପିଛା ୫୭ ଟଙ୍କା ୯୩ ପଇସାର ବ୍ୟବଧାନ ସୃଷ୍ଟି ହୋଇଛି।

ପମ୍ପରୁ ଡିଜେଲ୍‌ କିଣୁଛନ୍ତି ଶିଳ୍ପ ସଂସ୍ଥା

ବଲ୍କ ଡିଜେଲ୍‌ ତୁଳନାରେ ପେଟ୍ରୋଲ୍‌ ପମ୍ପରେ ଦର ଯଥେଷ୍ଟ କମ୍‌ ଥିବାରୁ ଶିଳ୍ପ ଓ ବାଣିଜ୍ୟିକ ସଂସ୍ଥାଗୁଡ଼ିକର ଗାଡ଼ି ପମ୍ପ ଆଡ଼କୁ ମୁହାଁଇବା ଆରମ୍ଭ କରିଛି। ବଲ୍କ ଗ୍ରାହକଙ୍କ ଏଭଳି ଚାହିଦା ବଢ଼ିଲେ ସାଧାରଣ ଗ୍ରାହକଙ୍କ ପାଇଁ ଥିବା ପମ୍ପ ଷ୍ଟକ୍‌ ଉପରେ ମଧ୍ୟ ଚାପ ପଡ଼ିବା ଆଶଙ୍କା ରହିଛି। ମେ’ ମାସରେ ମଧ୍ୟ ବଲ୍କ ଓ ରିଟେଲ୍‌ ଡିଜେଲ୍‌ ଦରର ବଡ଼ ବ୍ୟବଧାନ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିଲା।

ଘରୋଇ କମ୍ପାନି ଉପରେ ସରକାରଙ୍କ ଚାପ

ବଲ୍କ ଡିଜେଲ୍‌ ଦର ବଢ଼ିବା ପରେ କିଛି ଘରୋଇ ତୈଳ କମ୍ପାନି ପେଟ୍ରୋଲ୍‌ ପମ୍ପରୁ ଡିଜେଲ୍‌ ବିକ୍ରିର ପରିମାଣ ସୀମିତ କରିଥିଲେ। ନାୟରା ଏନର୍ଜି ଓ ଜିଓ-ବିପି ଭଳି କମ୍ପାନି ଏଭଳି ପଦକ୍ଷେପ ନେଇଥିବା ଖବର ଆସିବା ପରେ କେନ୍ଦ୍ର ସରକାର ଏହାକୁ ନେଇ ଆପତ୍ତି ଜଣାଇଥିଲେ। ପେଟ୍ରୋଲିୟମ ସଚିବ ନୀରଜ ମିତ୍ତଲ କହିଥିଲେ ଯେ କୌଣସି କମ୍ପାନି ନିଜ ଇଚ୍ଛାରେ ଇନ୍ଧନ ବିକ୍ରିରେ ସୀମା ଲଗାଇପାରିବ ନାହିଁ।

ଏପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ମଧ୍ୟ ଉତ୍ତେଜନା ଜାରି ରହିଛି। ତୈଳ ଦରର ଏହି ବୃଦ୍ଧି ବଲ୍କ ଇନ୍ଧନର ମୂଲ୍ୟକୁ ପ୍ରଭାବିତ କରୁଥିବାବେଳେ ରିଟେଲ୍‌ ପେଟ୍ରୋଲ୍‌ ଓ ଡିଜେଲ୍‌ ଦରକୁ ନେଇ ସରକାରୀ ନୀତି ଯୋଗୁଁ ଉଭୟ ବଜାରରେ ବଡ଼ ମୂଲ୍ୟ ବ୍ୟବଧାନ ରହିଛି।