ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ର ଦ୍ଵାଦଶ ଶ୍ରେଣୀ ଖାତା ପୁନଃମୂଲ୍ୟାୟନ ପୋର୍ଟାଲ୍ରେ ବଡ଼ ବିଭ୍ରାଟ ଦେଖାଦେଇଛି। ୱେବସାଇଟ୍ କାମ କରୁନଥିବାରୁ ହଜାର ହଜାର ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ଏହା ପଛରେ ‘ସାଇବର ଆକ୍ରମଣ’ କାରଣ ଥିବା ବୋର୍ଡ ଦର୍ଶାଇଛି। ଏହି ଘଟଣା ସିବିଏସଇର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚାଲିଥିବା ବିବାଦକୁ ଆହୁରି ବଢ଼ାଇ ଦେଇଛି।
ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଯେଉଁ ଛାତ୍ରଛାତ୍ରୀମାନେ ମାର୍କ ଯାଞ୍ଚ ଓ ଉତ୍ତରଖାତାର କପି ପାଇଁ ଆବେଦନ କରୁଥିଲେ, ସେମାନେ ଅନଲାଇନ୍ ପୋର୍ଟାଲ୍ ଖୋଲିବାରେ ସମସ୍ୟା ଭୋଗିଥିଲେ। CBSE ମୁତାବକ, ସିଷ୍ଟମ୍ ଉପରେ କ୍ରମାଗତ ସାଇବର ଆଟାକ୍ ଯୋଗୁଁ ସେବା ବାଧାପ୍ରାପ୍ତ ହୋଇଛି। ବୋର୍ଡର ବୈଷୟିକ ଟିମ୍ ଏହାକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ଆକ୍ରମଣ ପଛରେ କାହାର ହାତ ଅଛି, ତାହା ସ୍ପଷ୍ଟ ହୋଇନାହିଁ।
ଏହି ସାଇବର ଆଟାକ୍ ଦେଶର ସବୁଠାରୁ ବଡ଼ ସ୍କୁଲ ବୋର୍ଡର ଡିଜିଟାଲ୍ ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ଡାଟା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ, CBSE ର ‘ଅନ୍-ସ୍କ୍ରିନ୍ ମାର୍କିଂ’ ପ୍ରକ୍ରିୟା ଏବଂ ଏଥିପାଇଁ ହାଇଦ୍ରାବାଦର ଏକ ସଂସ୍ଥାକୁ ଦିଆଯାଇଥିବା ଟେଣ୍ଡରରେ ଅନିୟମିତତା ନେଇ ପୂର୍ବରୁ ହିଁ ବିବାଦ ଚାଲିଛି।
ଏହି ସମଗ୍ର ମାମଲା ଏବେ ଶିକ୍ଷା ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ପାଖରେ ପହଞ୍ଚିଛି। କମିଟି ଏବେ ପୋର୍ଟାଲ୍ ଅଚଳ ଏବଂ ମୂଲ୍ୟାୟନ ବିବାଦ ଉପରେ CBSE ଠାରୁ ବିସ୍ତୃତ ଜବାବ ମାଗିବାକୁ ଯାଉଛି। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଏହି ପୁନଃମୂଲ୍ୟାୟନ ଉପରେ ନିର୍ଭର କରୁଥିବାରୁ ବୋର୍ଡ ଖୁବ୍ ଶୀଘ୍ର ଏହାର ସମାଧାନ କରିବ ବୋଲି ଆଶା କରାଯାଉଛି।




