ଟୋକିଓ: ଭୟଙ୍କର ଟାଇଫୁନ୍ ‘ଜାଙ୍ଗମି’ ଜାପାନରେ ପୁଣି ଥରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ମଙ୍ଗଳବାର ଅପରାହ୍ନ ସୁଦ୍ଧା ଝଡ଼ ପ୍ରଭାବରେ ୯ ଜଣ ଆହତ ହୋଇଥିବାବେଳେ ଓକିନାୱା ଓ କାଗୋଶିମା ପ୍ରଦେଶର ୪୭ ହଜାରରୁ ଅଧିକ ଘରରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି। ପ୍ରବଳ ବର୍ଷା ଓ ବେଗବାନ ପବନ ଯୋଗୁଁ ଅନେକ ଅଞ୍ଚଳର ସାଧାରଣ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।
ସୂଚନା ଅନୁଯାୟୀ, ଟାଇଫୁନ୍ଟି ଦ୍ରୁତ ଗତିରେ କ୍ୟୁଶୁ ଅଞ୍ଚଳ ଆଡକୁ ଅଗ୍ରସର ହେଉଛି। ମଙ୍ଗଳବାର ସକାଳ ସୁଦ୍ଧା ଏହା କାଗୋଶିମାର ୟାକୁସିମା ଦ୍ୱୀପଠାରୁ ପ୍ରାୟ ୧୪୦ କିଲୋମିଟର ଦୂରରେ ଥିଲା ଏବଂ ଘଣ୍ଟାପ୍ରତି ପ୍ରାୟ ୩୦ କିଲୋମିଟର ବେଗରେ ଉତ୍ତର–ପୂର୍ବ ଦିଗକୁ ଗତି କରୁଥିଲା।
ପାଣିପାଗ ବିଭାଗ ତଥ୍ୟ ଅନୁସାରେ, ଝଡ଼ର କେନ୍ଦ୍ରୀୟ ଚାପ ୯୭୫ ହେକ୍ଟୋପାସ୍କାଲ ରେକର୍ଡ ହୋଇଥିବାବେଳେ କେନ୍ଦ୍ର ନିକଟରେ ପବନ ବେଗ ପ୍ରତି ସେକେଣ୍ଡରେ ୨୫ ମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହାର ପ୍ରଭାବରେ ଅନେକ ଗଛ ଉପୁଡ଼ି ପଡ଼ିଛି ଏବଂ ସାମଗ୍ରୀ ଉଡ଼ିଯାଇଛି।
ଜାପାନ ସରକାର ସୂଚନା ଦେଇଛି ଯେ, ୬୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଦୁଇଟି ପ୍ରମୁଖ ଏକ୍ସପ୍ରେସୱେର ୧୫ଟି ଅଂଶ ବନ୍ଦ କରାଯାଇଛି। ସାମୁଦ୍ରିକ ପରିବହନ ମଧ୍ୟ ପ୍ରଭାବିତ ହୋଇ ୬୪ଟି ଜାହାଜ ରୁଟରେ ସେବା ସ୍ଥଗିତ ହୋଇଛି।
କାଗୋଶିମା ଓ ଓକିନାୱାରେ କିଛି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଅନେକ ସ୍ଥାନରେ ଜଳଜମା ଓ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ପାଣିପାଗ ସଂସ୍ଥା ପକ୍ଷରୁ ପ୍ରବଳ ପବନ, ଝଡ଼ ଜୁଆର ଓ ତଳିଆ ଅଞ୍ଚଳରେ ବନ୍ୟା ନେଇ ଉଚ୍ଚ ସତର୍କତା ଜାରି କରାଯାଇଛି। ବୁଧବାର ସକାଳ ସୁଦ୍ଧା ଟୋକାଇ ଓ କିଙ୍କି ଅଞ୍ଚଳରେ ୩୫୦ ମିମି ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି। ଏପରିକି କାଗୋଶିମାର ଆମାଗି ସହରରେ ଗତ ୨୪ ଘଣ୍ଟାରେ ୨୦୯.୫ ମିମି ବର୍ଷା ରେକର୍ଡ ହୋଇଛି।
କର୍ତ୍ତୃପକ୍ଷ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ଘରଭିତରେ ରହିବା ଓ ଆବଶ୍ୟକ ହେଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ଅନୁରୋଧ କରିଛନ୍ତି।




