ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (CBSE) ର ମାର୍କ ଯାଞ୍ଚ ଏବଂ ପୁନଃମୂଲ୍ୟାୟନ ପୋର୍ଟାଲରେ ଅଦ୍ଭୁତପୂର୍ବ ଭିଡ଼ ଦେଖିବାକୁ ମିଳିଛି। ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ୧୦ଟା ସୁଦ୍ଧା ଏହି ସିଷ୍ଟମରେ ଏକାସଙ୍ଗେ ପ୍ରାୟ ୧୪,୦୦୦ ୟୁଜର୍ସ ସକ୍ରିୟ ଥିବାବେଳେ ୨୮,୦୦୦ ରୁ ଅଧିକ ଆବେଦନ ସଫଳତାର ସହ ଦାଖଲ ହୋଇଛି।ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପୋର୍ଟାଲର କ୍ଷମତାକୁ ବଢ଼ାଯାଇଛି।

ପୂର୍ବରୁ ଅଧିକ ଟ୍ରାଫିକ ଯୋଗୁଁ ୱେବସାଇଟ୍ ସ୍ଲୋ ହେବା କିମ୍ବା ଟାଇମ୍-ଆଉଟ୍ ହେବାର ସମସ୍ୟା ଦେଖାଦେଉଥିଲା। ଏହାକୁ ସୁଧାରିବା ପାଇଁ ବୋର୍ଡ ପକ୍ଷରୁ ଲଗ୍-ଇନ୍ ସେସନ୍ ସମୟ ସୀମାକୁ ବୃଦ୍ଧି କରାଯାଇଛି, ଯାହାଦ୍ୱାରା ପିଲାମାନେ ବିନା କୌଣସି ବାଧାରେ ଆବେଦନ କରିପାରୁଛନ୍ତି। ପୋର୍ଟାଲକୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ଛାତ୍ର ଅନୁକୂଳ କରିବା ପାଇଁ ସିବିଏସଇ ମୁଖ୍ୟାଳୟର ଏକ ସ୍ୱତନ୍ତ୍ର ବୈଷୟିକ ଟିମ୍ ୨୪ ଘଣ୍ଟା ଏହା ଉପରେ ନଜର ରଖିଛି।

ଶିକ୍ଷା ବିଶେଷଜ୍ଞଙ୍କ କହିବାନୁଯାୟୀ, ସିବିଏସଇର ଏହି ସକ୍ରିୟ ପଦକ୍ଷେପ ବୋର୍ଡର ସ୍ୱଚ୍ଛତା ଏବଂ ଦାୟିତ୍ୱବୋଧକୁ ଦର୍ଶାଉଛି। ଚଳିତ ବର୍ଷ ବିଭିନ୍ନ ବିଷୟରେ ପୁନଃମୂଲ୍ୟାୟନ ପାଇଁ ଅଧିକ ଦାବି ହେଉଥିବାରୁ ଏହି ଡିଜିଟାଲ ଭିତ୍ତିଭୂମିର ସଫଳତା ବେଶ ଗୁରୁତ୍ୱପୂର୍ଣ୍ଣ।ଏହି ନୂତନ ବ୍ୟବସ୍ଥାକୁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ସ୍ୱାଗତ କରିଛନ୍ତି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଆଗକୁ ମଧ୍ୟ ୟୁଜର୍ସଙ୍କ ଫିଡ୍‌ବ୍ୟାକ୍ ଆଧାରରେ ଡିଜିଟାଲ୍ ପ୍ଲାଟଫର୍ମରେ ଆବଶ୍ୟକୀୟ ପରିବର୍ତ୍ତନ କରାଯିବ।