ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ର ବିବାଦୀୟ ନୂଆ ନିୟମାବଳିକୁ ନେଇ ଦେଶବ୍ୟାପୀ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଶେଷରେ ଏହାର ପୁନର୍ବିଚାର କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଏହି ପ୍ରକ୍ରିୟା ଶେଷ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଆଉ ୪ ସପ୍ତାହ ସମୟ ପ୍ରଦାନ କରିଛନ୍ତି।
ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଜାତିଭିତ୍ତିକ ଭେଦଭାବ ଏବଂ ରାଗିଂକୁ ସମ୍ପୂର୍ଣ୍ଣ ରୋକିବା ଲକ୍ଷ୍ୟରେ UGC ଏହି ନୂତନ ନିୟମାବଳି ଆଣିଥିଲା। ମାତ୍ର ଏହାର କେତେକ ବ୍ୟବସ୍ଥାକୁ ନେଇ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ତୀବ୍ର ଆପତ୍ତି ଉଠାଇଥିଲେ। ନିୟମର କିଛି ଧାରା ଅନ୍ୟ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ପକ୍ଷପାତ କିମ୍ବା ଭେଦଭାବ ସୃଷ୍ଟି କରିବାର ଆଶଙ୍କା ରହିଥିବା ଅଭିଯୋଗ ହୋଇଥିଲା।
ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଗତ ଜାନୁଆରି ୨୯ ତାରିଖରେ ସର୍ବୋଚ୍ଚ ଅଦାଲତ ଏହି ନୂଆ ନିୟମାବଳି ଉପରେ ଅନ୍ତରୀଣ ରୋକ୍ ଲଗାଇଥିଲେ।
ଗୁରୁବାର କୋର୍ଟରେ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୂଚନା ଦେଇଛନ୍ତି ଯେ, ନିୟମାବଳିର ସବିଶେଷ ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ବିଚାର କରାଯାଉଛି।ଏହି କମିଟି ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ, ସୁରକ୍ଷା ଏବଂ ଆଶଙ୍କାକୁ ଅଗ୍ରାଧିକାର ଦେଇ ସମୀକ୍ଷା କରିବ।
ସଲିସିଟର ଜେନେରାଲଙ୍କ ବକ୍ତବ୍ୟ ପରେ ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣିକୁ ଆଉ ୪ ସପ୍ତାହ ଘୁଞ୍ଚାଇ ଦେଇଛନ୍ତି। UGCର ଏହି ବିବାଦୀୟ ନିୟମରେ କି ପରିବର୍ତ୍ତନ ଆସୁଛି ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ କିପରି ସୁରକ୍ଷିତ ରହୁଛି, ତାହା ଉପରେ ଏବେ ସାରା ଦେଶର ନଜର ରହିଛି।




