ଜାମ୍ମୁ: ଜାମ୍ମୁ-କାଶ୍ମୀରର ରିଆସି (Reasi) ଜିଲ୍ଲାରେ ଡ୍ୟୁଟିରେ ଥିବା ସମୟରେ ଜଣେ କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳ (CISF) ଯବାନ ଗୁଳିବିଦ୍ଧ ହୋଇ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ସକାଳ ପ୍ରାୟ ୯:୧୦ ମିନିଟ୍ରେ ଏହି ଅପ୍ରୀତିକର ଘଟଣା ଘଟିଛି। ଗୁଳି ଚାଳନାର ପ୍ରକୃତ କାରଣ କ’ଣ, ସେ ନେଇ ଅଧିକାରୀମାନେ ଅନୁସନ୍ଧାନ ଚଳାଇଛନ୍ତି।
ଗୁଳିବିଦ୍ଧ ଯବାନଜଣକ ରିଆସି ଜିଲ୍ଲା ମାରି ଗ୍ରାମର ମହମ୍ମଦ ମୁସ୍ତାକ (Mohammad Mushtaq) ବୋଲି ଚିହ୍ନଟ ହୋଇଛନ୍ତି। ଘଟଣା ପରେ ତୁରନ୍ତ ତାଙ୍କୁ ରିଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଜାମ୍ମୁସ୍ଥିତ ଏକ ଉଚ୍ଚତର ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।
ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବଳଙ୍କ ମଧ୍ୟରେ ଗୁଳିକାଣ୍ଡ ଓ ଆକସ୍ମିକ ଗୁଳି ଚାଳନା ଘଟଣା ନୂଆ ନୁହେଁ। ଏହାପୂର୍ବରୁ ସେପ୍ଟେମ୍ବର ୨୯ ତାରିଖରେ କାଠୁଆ ଜିଲ୍ଲା ସେୱା-୨ ହାଇଡ୍ରୋଇଲେକ୍ଟ୍ରିକ୍ ପ୍ରକଳ୍ପ ପରିସରରେ ନିଜ ନିଜ ମଧ୍ୟରେ ବାକ୍ବିତଣ୍ଡା ଯୋଗୁଁ ଜଣେ ହାବିଲଦାରଙ୍କ ଗୁଳିଚାଳନାରେ ସହକାରୀ କମାଣ୍ଡାଣ୍ଟଙ୍କ ସମେତ ୪ ଜଣ CISF କର୍ମଚାରୀ ପ୍ରାଣ ହରାଇଥିଲେ।
ସେହିପରି ଗତବର୍ଷ ଗାନ୍ଦେରବଲ୍ ଓ ଅନ୍ୟାନ୍ୟ ସାମରିକ କ୍ୟାମ୍ପରେ ସନ୍ତ୍ରୀ ଡ୍ୟୁଟି ସମୟରେ ଭୁଲବଶତଃ ରାଇଫଲ୍ରୁ ଗୁଳି ଫୁଟି ଯବାନ ଶହୀଦ ହେବାର ନଜୀର ରହିଛି। ଅତ୍ୟଧିକ ନିରନ୍ତର ସୁରକ୍ଷା ଚାପ, ଜଟିଳ ଭୌଗୋଳିକ ପରିସ୍ଥିତି ଏବଂ ସବୁସମୟରେ ଅସ୍ତ୍ରଶସ୍ତ୍ର ସଜାଗ ରଖିବା କାରଣରୁ ଏଭଳି ଦୁର୍ଘଟଣା ଘଟୁଥିବା ବିଶ୍ୱେଷଜ୍ଞମାନେ ମତ ଦେଇଛନ୍ତି।




