ନୂଆଦିଲ୍ଲୀ: ଦିଲ୍ଲୀର ବ୍ୟବସାୟୀ ଓ ଉଦ୍ୟୋଗୀମାନଙ୍କ ଶୀର୍ଷ ସଂଗଠନ ‘ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି’ (CTI) ମଙ୍ଗଳବାର ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକ ଖୋଲା ଚିଠି ଲେଖିଛି। ଆସନ୍ତା ନଭେମ୍ବର ୧ ତାରିଖରେ ରାମଲୀଳା ମୈଦାନଠାରେ କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ (INDIA) ମେଣ୍ଟ ପକ୍ଷରୁ ପ୍ରସ୍ତାବିତ ମହାରାଲି ସମ୍ପର୍କରେ ଆଲୋଚନା ପାଇଁ ୨୦ ମିନିଟ୍ର ସମୟ ମଗାଯାଇଛି।
CTI ଅଧ୍ୟକ୍ଷ ବ୍ରିଜେଶ ଗୋୟଲ ଏହି ଚିଠିରେ ପ୍ରସ୍ତାବ ଦେଇଛନ୍ତି ଯେ, ରାମଲୀଳା ମୈଦାନ ନିକଟସ୍ଥ ୨୦ଟି ପ୍ରମୁଖ ଥୋକ୍ ବଜାରର ୨୦ ଜଣ ବ୍ୟବସାୟୀ ପ୍ରତିନିଧିଙ୍କ ସହ ରାହୁଲ ଗାନ୍ଧୀ ଆଲୋଚନା କରନ୍ତୁ।
“ସଂଘର୍ଷ ନୁହେଁ, ଆଲୋଚନା ଚାହୁଁ”: ବ୍ୟବସାୟୀ ସଂଘ
ଚିଠିରେ ସର୍ତ୍ତ ରଖାଯାଇଛି ଯେ, ଯଦି ରାହୁଲ ଗାନ୍ଧୀ ବୈଠକରେ ବ୍ୟବସାୟୀଙ୍କୁ ବୁଝାଇବାରେ ସଫଳ ହୁଅନ୍ତି ଯେ ୧୦ ଲକ୍ଷ ଲୋକଙ୍କର ଏହି ମହାରାଲି ଦ୍ୱାରା ବ୍ୟବସାୟ ବୃଦ୍ଧି ପାଇବ, ତେବେ CTI ନିଜର ବିରୋଧ ପ୍ରତ୍ୟାହାର କରି ରାଲିକୁ ସ୍ୱାଗତ କରିବ।
ତେବେ, ଯଦି ବ୍ୟବସାୟୀମାନେ ରାହୁଲ ଗାନ୍ଧୀଙ୍କୁ ବୁଝାଇବାରେ ସମର୍ଥ ହୁଅନ୍ତି ଯେ ଏହି ରାଲି ଦ୍ୱାରା ୨୦ଟି ବଜାରର ବ୍ୟବସାୟ ଗୁରୁତର ଭାବେ ପ୍ରଭାବିତ ହେବ, ତେବେ ସେ ଜନସ୍ୱାର୍ଥ ଦୃଷ୍ଟିରୁ ଦୀପାବଳି ପରେ ଏହି ରାଲିକୁ ଘୁଞ୍ଚାଇ ଦେବା ଉଚିତ୍।
ବ୍ରିଜେଶ ଗୋୟଲ କହିଛନ୍ତି ଯେ ରାହୁଲ ଗାନ୍ଧୀ ସବୁବେଳେ ଛୋଟ ବ୍ୟବସାୟୀଙ୍କ ସ୍ୱର ଶୁଣିବା କଥା କୁହନ୍ତି। ତେଣୁ ୨୦ଟି ବଜାରର ବ୍ୟବସାୟୀଙ୍କୁ ୨୦ ମିନିଟ୍ ସମୟ ଦେବା ଗଣତନ୍ତ୍ରର ପ୍ରକୃତ ସୌନ୍ଦର୍ଯ୍ୟକୁ ଦର୍ଶାଇବ। ରାମଲୀଳା ମୈଦାନର ୧ ରୁ ୫ କିଲୋମିଟର ପରିସର ମଧ୍ୟରେ ଥିବା ଚାନ୍ଦନୀ ଚୌକ୍, ଭାଗୀରଥ ପ୍ୟାଲେସ୍, ଖାରୀ ବାଓଲି, ସଦର ବଜାର, ଚାୱଡ଼ି ବଜାର, କାଶ୍ମୀର ଗେଟ୍, କରୋଲ ବାଗ, ଦରିଆଗଞ୍ଜ, ଗଫାର ମାର୍କେଟ୍, ଲାଜପତ ରାୟ ମାର୍କେଟ୍ ସମେତ ୨୦ଟି ବଡ଼ ବଜାରରେ ଟ୍ରାଫିକ୍ କଟକଣା ଓ ଭିଡ଼ ଯୋଗୁଁ ବ୍ୟବସାୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
ରାହୁଲ ଗାନ୍ଧୀଙ୍କ ‘ନଫରତ୍ କେ ବାଜାର ମେଁ ମୋହବତ୍ କି ଦୁକାନ୍’ ନାରାକୁ ଦୋହରାଇ CTI ଚିଠିରେ ଲେଖିଛି: “ରାହୁଲ ଜୀ, ନଫରତର ବଜାରରେ ଆପଣ ପ୍ରେମର ଦୋକାନ ଖୋଲୁଛନ୍ତି, ଆମେ ଆପଣଙ୍କୁ ସମ୍ମାନ କରୁ। କିନ୍ତୁ ଦୀପାବଳି ବଜାରରେ ପ୍ରେମର ଦୋକାନ ବନ୍ଦ କରନ୍ତୁ ନାହିଁ। ଆମେ ବ୍ୟବସାୟୀମାନେ ହିଁ ଆପଣଙ୍କ ପ୍ରେମର ଦୋକାନର ପ୍ରକୃତ ଚେହେରା।”
ତ୍ୟାହାର ଋତୁରେ ରାଲି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ କୋଟି କୋଟି ଟଙ୍କାର ବ୍ୟବସାୟିକ କ୍ଷତି ହେବା ନେଇ CTI ଚିନ୍ତା ପ୍ରକାଶ କରିଛି। ରାହୁଲ ଗାନ୍ଧୀ ଏହି ସାକ୍ଷାତକାର ନିମନ୍ତ୍ରଣକୁ ସ୍ୱୀକାର କରିବେ ବୋଲି ବ୍ୟବସାୟୀ ସଂଘ ଆଶା ବ୍ୟକ୍ତ କରିଛି।




