ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅରନବ’ ସ୍ଥଳଭାଗ ଅତିକ୍ରମ କରିବା ପରେ ଓଡ଼ିଶା ମୁହାଁ ହୋଇଥିବା ବେଳେ ରାଜ୍ୟ ସରକାର ପ୍ରଶାସନିକ ପ୍ରସ୍ତୁତିକୁ ଅଧିକ କଡ଼ାକଡ଼ି କରିଛନ୍ତି। ରାଜ୍ୟରେ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ବୁଧବାର ସୁଦ୍ଧା ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇସାରିଛି। ଏ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରୁ ୪,୦୭୨ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୨,୦୦୦ ମହିଳାଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲ ଓ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇସାରିଛି। ସେମାନଙ୍କ ମଧ୍ୟରୁ କେତେକ ମହିଳା ନିରାପଦରେ ସନ୍ତାନ୍ ଜନ୍ମ ମଧ୍ୟ ଦେଇଛନ୍ତି।
ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ମୋଟ ୧୯,୧୪୩ଟି ମାଛଧରା ଡଙ୍ଗା କୂଳକୁ ଫେରିଆସିଛି। ଏଥିମଧ୍ୟରେ ୧୧,୯୫୫ଟି ସାମୁଦ୍ରିକ ମାଛଧରା ଡଙ୍ଗା ଏବଂ ଚିଲିକା ହ୍ରଦରେ ଚାଲୁଥିବା ୭,୧୮୮ଟି ଡଙ୍ଗା ସାମିଲ ରହିଛି।
ମନ୍ତ୍ରୀ କହିଛନ୍ତି ଯେ, ସେ ମଙ୍ଗଳବାର ରାତିରେ ଦକ୍ଷିଣ ଓଡ଼ିଶାର ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହାସହ ବିଭିନ୍ନ ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ କଥା ହେବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।
ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ପ୍ରକାର ଜୀବନହାନି କିମ୍ବା ବଡ଼ ଧରଣର କ୍ଷୟକ୍ଷତିର ଖବର ମିଳିନାହିଁ। ଏହି ସ୍ଥିତି ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବାର ଆଶଙ୍କା ଥିବାରୁ ପ୍ରଶାସନ ୨୪ ଘଣ୍ଟିଆ ଆଲର୍ଟରେ ରହିଛି।
‘ଜିରୋ କାଜୁଆଲଟି’ (ଶୂନ୍ୟ ଜୀବନହାନି) ଲକ୍ଷ୍ୟ ନେଇ ସରକାର କାର୍ଯ୍ୟ କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଓଡ଼ିଶା ବିନା କୌଣସି ଧନଜୀବନ ହାନିରେ ଏହି ବିପତ୍ତିରୁ ମୁକ୍ତ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।




