ନୂଆଦିଲ୍ଲୀ: ଇଥାନଲ୍‌ ମିଶ୍ରିତ ଇ-୨୦ ପେଟ୍ରୋଲ ବ୍ୟବହାରକୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଦେଉଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱିଧା ଏବେ ମଧ୍ୟ ଜାରି ରହିଛି। ସି-ଭୋଟର ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଦେଖାଯାଇଛି ଯେ, ଏନ୍‌ଡିଏର ଅଧାରୁ ଅଧିକ ସମର୍ଥକ ନିଜ ଗାଡ଼ିରେ ଇ-୨୦ ପେଟ୍ରୋଲ ବ୍ୟବହାର କରିବାକୁ ଇଚ୍ଛୁକ ନୁହନ୍ତି।

ସର୍ଭେ ଅନୁସାରେ, ୫୨.୫ ପ୍ରତିଶତ ଏନ୍‌ଡିଏ ଭୋଟର କହିଛନ୍ତି ଯେ ସେମାନେ ଇ-୨୦ ପେଟ୍ରୋଲ ବ୍ୟବହାର କରିବେ ନାହିଁ। ଗାଡ଼ିର ଇଞ୍ଜିନ୍‌ ଉପରେ ପ୍ରଭାବ ପଡ଼ିବା ଓ ମାଇଲେଜ୍‌ କମିଯିବା ଭଳି ଆଶଙ୍କା ଏହାର ପ୍ରମୁଖ କାରଣ ବୋଲି ସର୍ଭେରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ୧୮.୧ ପ୍ରତିଶତ ଲୋକ ଇ-୨୦ ପେଟ୍ରୋଲ ବ୍ୟବହାର ପକ୍ଷରେ ଥିବା ବେଳେ ୨୯.୫ ପ୍ରତିଶତ ଭୋଟର ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ମତ ଦେଇନାହାନ୍ତି।

ବିରୋଧୀ ଦଳର ସମର୍ଥକଙ୍କ ମଧ୍ୟରେ ମଧ୍ୟ ଇ-୨୦ ପେଟ୍ରୋଲକୁ ନେଇ ସମାନ ମନୋଭାବ ଦେଖିବାକୁ ମିଳିଛି। ୫୭.୯ ପ୍ରତିଶତ ବିରୋଧୀ ଭୋଟର ଏହି ଇନ୍ଧନ ବ୍ୟବହାର କରିବାକୁ ରାଜି ନୁହନ୍ତି। ସେହିପରି ଅନ୍ୟ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରୁ ୫୫ ପ୍ରତିଶତ ଲୋକ ମଧ୍ୟ ଇ-୨୦ ପେଟ୍ରୋଲକୁ ପସନ୍ଦ କରୁନାହାନ୍ତି।

ସାରା ଦେଶରେ ମଧ୍ୟ ମିଶ୍ର ପ୍ରତିକ୍ରିୟା

ସର୍ଭେର ସାମଗ୍ରିକ ତଥ୍ୟ ଅନୁଯାୟୀ, ୫୫.୧ ପ୍ରତିଶତ ଉତ୍ତରଦାତା କହିଛନ୍ତି ଯେ ସେମାନେ ଇ-୨୦ ପେଟ୍ରୋଲ ବ୍ୟବହାର କରିବାକୁ ପସନ୍ଦ କରିବେ ନାହିଁ। ମାତ୍ର ୧୭.୧ ପ୍ରତିଶତ ଏହାକୁ ସମର୍ଥନ କରିଥିବା ବେଳେ ଅବଶିଷ୍ଟ ଲୋକ କୌଣସି ସ୍ପଷ୍ଟ ମତ ପ୍ରକାଶ କରିନାହାନ୍ତି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସମ୍ପ୍ରତି ଇ-୨୦ ପେଟ୍ରୋଲକୁ ନେଇ ସମାଲୋଚନା କରୁଥିବା ଲୋକଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯେ, ଇଥାନଲ୍‌ ମିଶ୍ରିତ ଇନ୍ଧନ ବ୍ୟବହାରରେ କ୍ଷତିଗ୍ରସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ସାମ୍ନାକୁ ଆଣନ୍ତୁ। ଏହା ପରେ ହିଁ ସି-ଭୋଟର ପକ୍ଷରୁ ଏହି ସର୍ଭେ କରାଯାଇଥିଲା।