ବିଶାଖାପାଟଣା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ଅରନବ’ ଗତ ୩ ଘଣ୍ଟା ଧରି ଗୋଟିଏ ସ୍ଥାନରେ ସ୍ଥିର ରହିବା ପରେ ଏବେ ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଜାରି ରଖିଛି। ଭାରତୀୟ ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ, ବାତ୍ୟାର ଉତ୍ତର ପାର୍ଶ୍ୱର ‘ୱାଲ୍ କ୍ଲାଉଡ୍’ ସ୍ଥଳଭାଗରେ ପ୍ରବେଶ କରିସାରିଛି।
ସକାଳ ୫:୩୦ ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ୩୦ କିମି ପୂର୍ବ, ୟାନାମଠାରୁ ୪୫ କିମି ଦକ୍ଷିଣ-ଦକ୍ଷିଣ ପଶ୍ଚିମ, କାକିନାଡ଼ାରୁ ୭୦ କିମି, ମଚିଲିପାଟଣାଠାରୁ ୯୦ କିମି ଏବଂ ବାପଟଲାରୁ ୧୭୦ କିମି ଦୂରରେ କେନ୍ଦ୍ରୀଭୂତ ଥିଲା।
- ପବନର ବେଗ: ବାତ୍ୟା ଅତିକ୍ରମ କରିବା ସମୟରେ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ବେଗରେ ପବନ ବହୁଛି, ଯାହା ସର୍ବାଧିକ ୧୪୦ କିଲୋମିଟର ପର୍ଯ୍ୟନ୍ତ ଛୁଉଁଛି।
- ଆନ୍ଧ୍ରପ୍ରଦେଶ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (APSDMA)ର ସୂଚନା: ସଂସ୍ଥାର ପ୍ରବନ୍ଧ ନିର୍ଦ୍ଦେଶକ ପ୍ରଖର ଜୈନ କହିଛନ୍ତି ଯେ, ବାତ୍ୟାର କେନ୍ଦ୍ରବିନ୍ଦୁ ନରସାପୁରଠାରୁ ମାତ୍ର ୨୦ କିଲୋମିଟର ଦୂରରେ ରହିଛି ଏବଂ ୟାନାମ୍ ଉପକୂଳ ଦେଇ ଏହା ସମ୍ପୂର୍ଣ୍ଣ ସ୍ଥଳଭାଗ ଅତିକ୍ରମ କରିବ।
ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମୀକ୍ଷା
ବାତ୍ୟା ସ୍ଥିତି ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ପର୍ଯ୍ୟନ୍ତ ପ୍ରାୟ ୩୨,୦୦୦ ଅଧିକାରୀଙ୍କ ସହ ଟେଲିକନଫରେନ୍ସ ମାଧ୍ୟମରେ କଥା ହୋଇଛନ୍ତି।
କୃଷି ଓ ଫସଲ କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ରାଜ୍ୟର ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବାକୁ କହିଛନ୍ତି।ପ୍ରଶାସନର ଆଗୁଆ ସତର୍କତା ଯୋଗୁଁ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନିର ଖବର ମିଳିନାହିଁ। ରାତ୍ରିସାରା କାର୍ଯ୍ୟ କରିଥିବା ନିୟୋଜିତ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।




