ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ କରୋଲ ବାଗ୍ ଅଞ୍ଚଳସ୍ଥିତ ଗଫାର ମାର୍କେଟରେ ଶୁକ୍ରବାର ଭୋର ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ମୋବାଇଲ୍ ଆସେସୋରିଜ୍ ଦୋକାନରୁ ଆରମ୍ଭ ହୋଇଥିବା ଏହି ନିଆଁ ଦେଖୁ ଦେଖୁ ସମ୍ପୂର୍ଣ୍ଣ ୪ ତାଲା ବିଶିଷ୍ଟ ବ୍ୟାବସାୟିକ କୋଠାକୁ ବ୍ୟାପି ଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୨୦ ରୁ ୨୫ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି।
ସୌଭାଗ୍ୟବଶାତଃ, ଏହି ଅଘଟଣରେ ବର୍ତ୍ତମାନ ସୁଦ୍ଧା କୌଣସି ହତାହତ କିମ୍ବା ଆହାତ ହୋଇଥିବା ନେଇ ସୂଚନା ମିଳିନାହିଁ, ମାତ୍ର ବ୍ୟାପକ ପରିମାଣର ସମ୍ପତ୍ତି ପୋଡ଼ି ଭସ୍ମୀଭୂତ ହୋଇଯାଇଛି।
ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ରାତି ପ୍ରାୟ ୧:୨୮ ମିନିଟ୍ରେ କରୋଲ ବାଗ୍ ପୁଲିସ ଥାନାକୁ ଚେନ୍ ୱାଲି ଗଳିରେ ଥିବା ଏକ କୋଠାରେ ନିଆଁ ଲାଗିଥିବା ନେଇ ପିସିଆର (PCR) କଲ୍ ଆସିଥିଲା। ଖବର ପାଇ ଥାନା ଅଧିକାରୀ (SHO) ଓ ରାତ୍ରୀକାଳୀନ ପୁଲିସ ଦଳ ସଙ୍ଗେ ସଙ୍ଗେ ଗଫାର ମାର୍କେଟର ପୁରୀ ପ୍ଲାଜାସ୍ଥିତ ୧୩/୨୧ ନମ୍ବର ଦୋକାନରେ ପହଞ୍ଚିଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ତଳ ମହଲାରେ ଥିବା ଏକ ଦୋକାନରେ ମୋବାଇଲ୍ ବ୍ୟାଟେରୀ ଗଚ୍ଛିତ ରଖାଯାଇଥିଲା। ବ୍ୟାଟେରୀ ଓଭରହିଟିଂ (ଅତ୍ୟାଧିକ ଗରମ) କିମ୍ବା ଓଭରଚାର୍ଜିଂ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି।ଉଦ୍ଧାର କାର୍ଯ୍ୟ ପାଇଁ ୨୫ଟି ଦମକଳ ଗାଡ଼ି ସହ ୩ଟି CAT ଆମ୍ବୁଲାନ୍ସ ଏବଂ ପୁଲିସ ଗାଡ଼ି ମୁତୟନ କରାଯାଇ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା।
ଦିଲ୍ଲୀରେ ବଢ଼ୁଛି ଅଗ୍ନିକାଣ୍ଡ ଘଟଣା:ଏହି ଘଟଣାର କିଛି ଦିନ ପୂର୍ବରୁ ଦିଲ୍ଲୀର ମଙ୍ଗୋଲପୁରୀ ଶିଳ୍ପାଞ୍ଚଳସ୍ଥିତ ଏକ ଜୋତା କାରଖାନାରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଥିଲେ। ଗଫାର ମାର୍କେଟ ଅଗ୍ନିକାଣ୍ଡରେ ଧନଜୀବନ ରକ୍ଷା ପାଇଯାଇଥିଲେ ମଧ୍ୟ ବ୍ୟବସାୟୀଙ୍କର କୋଟି କୋଟି ଟଙ୍କାର କ୍ଷତି ହୋଇଛି।




