ପୁଣେ: ଦିଲ୍ଲୀରୁ ପୁଣେ ଯାଉଥିବା ଇଣ୍ଡିଗୋ ବିମାନ (Flight No. 6E6884) ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଉଡ଼ାଣ ଭରିବାର କିଛି ସମୟ ପରେ ଜଣେ ଯାତ୍ରୀ ବିମାନର ଜରୁରୀକାଳୀନ ଦ୍ୱାର ର ଲିଭର୍ କଭର ଖୋଲିବାକୁ ଚେଷ୍ଟା କରିଥିଲେ। ଏହା ଦ୍ୱାରା ବିମାନ ଭିତରେ ଜରୁରୀକାଳୀନ ଆଲାର୍ମ ବାଜି ଉଠିଥିଲା ଏବଂ କ୍ରିୟୁ ସଦସ୍ୟମାନେ ତୁରନ୍ତ ସତର୍କ ହୋଇପଡ଼ିଥିଲେ।
ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଯାତ୍ରୀ ଜଣକ ହେଉଛନ୍ତି ପୁଣେ ଜିଲ୍ଲା ଶାଶୱାଡ୍ର ବାସିନ୍ଦା ଗୌରବ ସତ୍ୟେନ୍ଦ୍ର ରୌତେଲା (୩୩)। ସେ ବିମାନର ୧୯D ନମ୍ବର ସିଟ୍ରେ ବସିଥିଲେ, ଯାହା ଜରୁରୀକାଳୀନ ଦ୍ୱାର ପାଖରେ ରହିଛି
ଗତ ସୋମବାର ରାତି ପ୍ରାୟ ୧୨:୪୫ ରେ ବିମାନଟି ଦିଲ୍ଲୀରୁ ଉଡ଼ାଣ ଭରିବା ପରେ ଏହି ଘଟଣା ଘଟିଥିଲା।
ପ୍ରାଥମିକ ପଚରାଉଚରା ବେଳେ ଅଭିଯୁକ୍ତ ଯାତ୍ରୀ ଜଣକ କହିଛନ୍ତି ଯେ ସେ କୌତୂହଳବଶତଃ ଲିଭର୍ କଭରକୁ ଛୁଇଁଥିଲେ ଏବଂ ଏହା ଜରୁରୀକାଳୀନ ଦ୍ୱାର ସହ ଯୋଡ଼ା ହୋଇଛି ବୋଲି ସେ ଜାଣିନଥିଲେ। କଭରକୁ ଛୁଇଁବା ମାତ୍ରେ ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ ବିମାନରେ ଆଲାର୍ମ ବାଜି ଉଠିଥିଲା। ରାତି ପ୍ରାୟ ୨ଟାରେ ବିମାନଟି ପୁଣେରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ୍ କରିବା ପରେ ଇଣ୍ଡିଗୋ କ୍ରିୟୁ ସଦସ୍ୟ ଓମକାର ବିନୋଦ କୁଲକର୍ଣ୍ଣି ବିମାନବନ୍ଦର ଥାନାରେ ଅଭିଯୋଗ ଦାଖଲ କରିଥିଲେ।
ପୁଣେ ବିମାନବନ୍ଦର ପୁଲିସ ଅଭିଯୁକ୍ତ ରୌତେଲାଙ୍କ ବିରୋଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୩୫(୩) ଅଧୀନରେ ନୋଟିସ୍ ଜାରି କରିଛି। ଏହା ସହିତ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୧୨୫ ଏବଂ ଏୟାରକ୍ରାଫ୍ଟ ଆକ୍ଟର ଧାରା ୨୫ ଅଧୀନରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।




