ଭୁଜ: ଗୁଜରାଟର କଚ୍ଛ ଜିଲ୍ଲାରେ ଶୁକ୍ରବାର ଭୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ଖାବଡ଼ା ନିକଟରେ ଥିବା ଏକ ଅକ୍ଷୟ ଶକ୍ତି ପାର୍କ ଭିତରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବୋଲେରୋ କ୍ୟାମ୍ପର୍‌ ସହ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା।

ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ଭୋର ପ୍ରାୟ ୩ଟାରୁ ୪ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଉଭୟ ଗାଡ଼ି ବିପରୀତ ଦିଗରୁ ଆସୁଥିବାବେଳେ ପରସ୍ପର ସହ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବୋଲେରୋ କ୍ୟାମ୍ପର୍‌ଟି ସମ୍ପୂର୍ଣ୍ଣ ଚେପା ହୋଇଯାଇଥିଲା। ଏଥିରେ ଥିବା ଶ୍ରମିକମାନେ ଗାଡ଼ି ଭିତରେ ଫସି ରହିଥିଲେ।

ଦୁର୍ଘଟଣାରେ ୭ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗାଡ଼ି ଭିତରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ କ୍ରେନ୍‌ର ସହାୟତା ନିଆଯାଇଥିଲା। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁଜର ଡାକ୍ତରଖାନାକୁ ନିଆଯାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ନେଇ ତୁରନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।

ଖବର ପାଇ ପଶ୍ଚିମ କଚ୍ଛ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ମୃତକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭୁଜ ପଠାଯାଇଛି। ଦୁର୍ଘଟଣା କିପରି ଘଟିଲା ଏବଂ ଏଥିରେ କୌଣସି ଅବହେଳା ଥିଲା କି ନାହିଁ, ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।”