ନଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଶନିବାର ପ୍ରସ୍ତାବିତ ଆନ୍ଦୋଳନ ପୂର୍ବରୁ ଦିଲ୍ଲୀରେ ମେଟ୍ରୋ ଓ ରେଳ ଚଳାଚଳ ଉପରେ କଟକଣା ଲଗାଇବା ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ୍ କରିଛନ୍ତି। ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ନାଁରେ ସାଧାରଣ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରିହେବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ମେଟ୍ରୋ ଏବଂ ଟ୍ରେନ୍ ସେବା ନିୟନ୍ତ୍ରିତ ଭାବେ ଜାରି ରଖିବାକୁ କୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀର ୫୭ଟି ମେଟ୍ରୋ ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ବନ୍ଦ କରିବା ଏବଂ କେତେକ ଟ୍ରେନ୍ ବାତିଲ କରିବା ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଥିଲେ। ଆନ୍ଦୋଳନ ଯୋଗୁଁ ଆଇନଶୃଙ୍ଖଳା ସମସ୍ୟା ଆଶଙ୍କା ଥିଲେ ମଧ୍ୟ ସମଗ୍ର ସହରର ଯାତାୟାତକୁ ଅଚଳ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ।

ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ କହିଥିଲେ ଯେ ମେଟ୍ରୋ ଓ ରେଳ ସେବା ଉପରେ କଟକଣା ଲଗାଇବା ଏବଂ ସେଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦୁଇଟି ଭିନ୍ନ କଥା। ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ଛାତ୍ରଛାତ୍ରୀ, କର୍ମଚାରୀ, ବୟସ୍କ ଓ ଅନ୍ୟ ଯାତ୍ରୀମାନେ ଦୈନିକ ଯାତାୟାତ ପାଇଁ ସାର୍ବଜନୀନ ପରିବହନ ଉପରେ ନିର୍ଭର କରନ୍ତି। ତେଣୁ ଆନ୍ଦୋଳନ ନିୟନ୍ତ୍ରଣ ପାଇଁ ଏଭଳି କଟକଣା ଲଗାଇବା ପୂର୍ବରୁ ସାଧାରଣ ଲୋକଙ୍କ ଅସୁବିଧାକୁ ବିଚାର କରିବା ଆବଶ୍ୟକ।

ସିପିଆଇ(ଏମ୍‌)ର ସାଧାରଣ ସମ୍ପାଦକ ଏମ୍‌.ଏ. ବେବିଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ କପିଲ ସିବଲ ରେଳ ଚଳାଚଳ ବାତିଲ ଓ ମେଟ୍ରୋ ଷ୍ଟେସନ ବନ୍ଦ ରହିବା ଯୋଗୁଁ ଯାତ୍ରୀଙ୍କୁ ହେବାକୁ ଥିବା ଅସୁବିଧା ସମ୍ପର୍କରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସେବାକୁ ସମ୍ପୂର୍ଣ୍ଣ ବନ୍ଦ ନକରି ନିୟନ୍ତ୍ରିତ ଭାବେ ଚଳାଇବା ପାଇଁ ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ।

ସିଜେପି ଓ କେତେକ ଛାତ୍ର ସଂଗଠନ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୧୦ରେ ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ କରିବାକୁ ଡାକରା ଦେଇଛନ୍ତି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ବିରୋଧୀ ଦଳ ଓ ଛାତ୍ର ସଂଗଠନଗୁଡ଼ିକ ଅନିୟମିତତା ଅଭିଯୋଗ ଉଠାଇଛନ୍ତି। ତେବେ ନିର୍ବାଚନ ଆୟୋଗ ଓ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସୁପ୍ରିମ୍‌କୋର୍ଟ ଦିଲ୍ଲୀରେ ଯାତାୟାତ ସମ୍ପର୍କିତ ସୂଚନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଟ୍ରାଫିକ୍ ପରାମର୍ଶ ଜାରି କରିବାକୁ ମଧ୍ୟ କହିଛନ୍ତି। ଆନ୍ଦୋଳନ ସମୟରେ ଆଇନଶୃଙ୍ଖଳା ରକ୍ଷା ସହ ଲୋକଙ୍କ ଦୈନନ୍ଦିନ ଯାତାୟାତ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ଅଦାଲତ ଗୁରୁତ୍ୱ ଦେଇଛନ୍ତି।English Slug:””