ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ପରିଷଦର ୫୭ତମ ବୈଠକ ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଜିଏସ୍ଟି ପରିଷଦ ସଚିବାଳୟ ପକ୍ଷରୁ ଏନେଇ ସମସ୍ତ ସଦସ୍ୟଙ୍କୁ ଅବଗତ କରାଯାଇଛି। ସେପ୍ଟେମ୍ବର ୧୨ ତାରିଖ ପୂର୍ବାହ୍ଣ ୧୧ଟାରୁ ବୈଠକ ଆରମ୍ଭ ହେବ।
ମୁଖ୍ୟ ବୈଠକର ଦିନକ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୧୧ ତାରିଖରେ ଅଧିକାରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଜିଏସ୍ଟି ପରିଷଦ ବୈଠକ ପାଇଁ ବିଭିନ୍ନ ପ୍ରସଙ୍ଗ ଓ ପ୍ରସ୍ତାବ ଉପରେ ଆଲୋଚନା ହେବ।
ଜିଏସ୍ଟି ପରିଷଦର ସଚିବାଳୟ ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀ, ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ପରିଷଦର ଅନ୍ୟ ସଦସ୍ୟମାନଙ୍କୁ ବୈଠକ ସମ୍ପର୍କରେ ଅବଗତ କରାଯାଇଛି। ଏଥିପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ର ପଠାଯାଇଛି।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜିଏସ୍ଟି ପରିଷଦରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ ସଦସ୍ୟ ରହିଛନ୍ତି। ପରିଷଦ ଜିଏସ୍ଟି ସମ୍ପର୍କିତ ଟିକସ ହାର, ନିୟମ ଓ ଅନ୍ୟାନ୍ୟ ନୀତିଗତ ପ୍ରସଙ୍ଗରେ ସୁପାରିସ କରିଥାଏ।




