ଦୋହା: ACC ପୁରୁଷ ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ଭାରତ-ଏ ଦଳ ଦମ୍‌ଦାର ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଖେଳାଯାଇଥିବା ଗ୍ରୁପ୍‌-ବି ମ୍ୟାଚ୍‌ରେ ଭାରତ-ଏ ନେପାଳକୁ ୩୦୬ ରନ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୩୨ ରନ୍‌ କରିଥିବା ବେଳେ ନେପାଳ ମାତ୍ର ୨୬ ରନ୍‌ରେ ୧୧.୩ ଓଭରରେ ଅଲଆଉଟ୍‌ ହୋଇଯାଇଥିଲା।

ତିଳକ ଓ କୁଶାଗ୍ରଙ୍କ ଶତକୀୟ ଇନିଂସ୍‌

ଟସ୍‌ ଜିତି ନେପାଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତର ଆରମ୍ଭ କିନ୍ତୁ ଭଲ ନଥିଲା। ଅଭିଷେକ ଶର୍ମା ୯, ଆୟୁଷ ବଡୋନି ୨ ଓ ବୈଭବ ସୂର୍ଯ୍ୟବଂଶୀ ୨୬ ରନ୍‌ କରି ଶୀଘ୍ର ଆଉଟ୍‌ ହୋଇଥିଲେ। ମାତ୍ର ୪୨ ରନ୍‌ରେ ୩ଟି ୱିକେଟ୍‌ ହରାଇ ଭାରତ ଚାପରେ ପଡ଼ିଥିଲା।

ଏହି ସମୟରେ ଅଧିନାୟକ ତିଳକ ବର୍ମା ଓ କୁମାର କୁଶାଗ୍ର ଦଳର ଇନିଂସ୍‌ ସମ୍ଭାଳିଥିଲେ। ଉଭୟ ଚତୁର୍ଥ ୱିକେଟ୍‌ ପାଇଁ ୨୦୬ ରନ୍‌ର ଦମ୍‌ଦାର ଭାଗୀଦାରି କରି ଭାରତକୁ ମଜବୁତ ସ୍ଥିତିକୁ ନେଇଥିଲେ। କୁଶାଗ୍ର ୧୦୨ ବଲ୍‌ରୁ ୧୧୭ ରନ୍‌ କରିଥିବା ବେଳେ ତିଳକ ୧୧୩ ବଲ୍‌ରୁ ୧୦୭ ରନ୍‌ କରିଥିଲେ। କୁଶାଗ୍ରଙ୍କ ଇନିଂସ୍‌ରେ ୧୦ଟି ଚୌକା ଓ ୫ଟି ଛକା ଥିବା ବେଳେ ତିଳକ ୬ଟି ଚୌକା ଓ ୪ଟି ଛକା ମାରିଥିଲେ।

ଶେଷ ଓଭରଗୁଡ଼ିକରେ ସୂର୍ଯ୍ୟାଂଶ ସେଡ୍‌ଗେଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଭାରତର ସ୍କୋରକୁ ଆହୁରି ବଢ଼ାଇଥିଲା। ସେ ମାତ୍ର ୧୪ ବଲ୍‌ରୁ ୩୬ ରନ୍‌ କରି ଅପରାଜିତ ରହିଥିଲେ। ଏଥିରେ ୪ଟି ଛକା ଓ ଗୋଟିଏ ଚୌକା ସାମିଲ ଥିଲା। ଫଳରେ ଭାରତ ୩୩୨ ରନ୍‌ର ବିଶାଳ ସ୍କୋର କରିପାରିଥିଲା।

ପ୍ରିନ୍ସ ଓ ହର୍ଷିତଙ୍କ ଘାତକ ବୋଲିଂ

୩୩୩ ରନ୍‌ର ବିଜୟଲକ୍ଷ୍ୟ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ନେପାଳର ବ୍ୟାଟିଂ ଭାରତୀୟ ବୋଲରଙ୍କ ଆଗରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ହର୍ଷିତ ରାଣା ଓ ପ୍ରିନ୍ସ ଯାଦବ ଆରମ୍ଭରୁ ନେପାଳ ବ୍ୟାଟରଙ୍କୁ ଚାପରେ ରଖିଥିଲେ। ନେପାଳ ୮.୫ ଓଭରରେ ମାତ୍ର ୨୧ ରନ୍‌ କରି ୬ଟି ୱିକେଟ୍‌ ହରାଇଥିଲା। ପରେ ଅବଶିଷ୍ଟ ୪ଟି ୱିକେଟ୍‌ ମାତ୍ର ୫ ରନ୍‌ ମଧ୍ୟରେ ଖସିପଡ଼ିଥିଲା।

ପ୍ରିନ୍ସ ଯାଦବ ୫ ଓଭରରେ ମାତ୍ର ୬ ରନ୍‌ ଦେଇ ୫ଟି ୱିକେଟ୍‌ ନେଇଥିଲେ। ସେହିପରି ହର୍ଷିତ ରାଣା ୬ ଓଭରରେ ୧୬ ରନ୍‌ ଦେଇ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ। ଶାହବାଜ ଅହମଦ ଗୋଟିଏ ୱିକେଟ୍‌ ନେଇଥିଲେ। ନେପାଳ ପକ୍ଷରୁ ପୱନ ସର୍ରାଫ୍‌ ଓ ରଶିଦ ଖାନ୍‌ ସର୍ବାଧିକ ୬ ରନ୍‌ ଲେଖାଏଁ କରିଥିଲେ। ଦଳର କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁପାରିନଥିଲେ।

ନେପାଳର ୨୬ ରନ୍‌ର ଏହି ସ୍କୋର ଲିଷ୍ଟ-ଏ କ୍ରିକେଟ୍‌ ଇତିହାସରେ ପଞ୍ଚମ ସର୍ବନିମ୍ନ ସମ୍ପୂର୍ଣ୍ଣ ଇନିଂସ୍‌ ସ୍କୋର ଭାବେ ରେକର୍ଡ ହୋଇଛି। ୩୦୬ ରନ୍‌ର ଏହି ବୃହତ୍‌ ବିଜୟ ସହ ଭାରତ-ଏ ଟୁର୍ଣ୍ଣାମେଣ୍ଟରେ ନିଜ ଶକ୍ତିର ପରିଚୟ ଦେଇଛି।