ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ସଙ୍ଗଠିତ ‘ଇଣ୍ଡିଆ’ (INDIA) ମେଣ୍ଟର ବିକ୍ଷୋଭ ପ୍ରଦର୍ଶନ ସମୟରେ ମଙ୍ଗଳବାର ନୂଆଦିଲ୍ଲୀରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କୁ ଭେଟିବାକୁ ଯାଉଥିବା ସଂସଦର ଉଭୟ ସଦନର ପ୍ରାୟ ୩୦୦ ସାଂସଦଙ୍କୁ ସୁରକ୍ଷାକର୍ମୀ ଓ ପୋଲିସ ମଝି ରାସ୍ତାରେ ଅଟକାଇଛନ୍ତି।
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧୀ କହିଛନ୍ତି, “ଏଠାରେ ଲୋକସଭା ଓ ରାଜ୍ୟସଭାର ପ୍ରାୟ ୩୦୦ ସାଂସଦ ଉପସ୍ଥିତ ଥିଲେ। ଆମେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ସହଯୋଗୀ ଦୁଇ ଆୟୁକ୍ତଙ୍କୁ ଭେଟିବାକୁ ଚାହୁଁଥିଲୁ, ମାତ୍ର ପୋଲିସ ଆମକୁ ଅଟକାଇ ଦେଇଛି। ଆମେ ଏହି ଦେଶର ଜନସାଧାରଣଙ୍କ ପ୍ରତିନିଧି। ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ମାତ୍ର ୫୦ ଗଜ ଦୂରରେ ଥିବା ସତ୍ତ୍ୱେ ଆମକୁ ଯିବାକୁ ଦିଆଯାଉ ନାହିଁ। ଯଦି ଜନପ୍ରତିନିଧିମାନେ ନିର୍ବାଚନ ଆୟୋଗଙ୍କୁ ଭେଟିପାରିବେ ନାହିଁ, ତେବେ ଗଣତନ୍ତ୍ରର ମୂଲ୍ୟ କ’ଣ?”
ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ରାହୁଲ କହିଛନ୍ତି ଯେ, ସେ ଭାଜପାର ବକ୍ତବ୍ୟକୁ ନେଇ ଚିନ୍ତିତ ନୁହଁନ୍ତି। ସେ କେବଳ ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସାଂସଦମାନଙ୍କ ସହ ଏଠାରେ ପହଞ୍ଚିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଆରଏସଏସ ମୁଖିଆ ମୋହନ ଭାଗବତ ଏବଂ ସିଇସି ଜ୍ଞାନେଶ କୁମାର ମିଶି ଦେଶର ଗଣତନ୍ତ୍ରକୁ ନଷ୍ଟ କରିଦେଇଛନ୍ତି।
ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ଭୋଟ୍ ଚୋରି ମାଧ୍ୟମରେ ଦେଶକୁ ହାଇଜ୍ୟାକ୍ କରାଯାଇଛି, ଯାହା ଏକ ପ୍ରକାର ଦେଶଦ୍ରୋହ। ସମୟ ଆସିଲେ ଏହି ଘଟଣାରେ ସମ୍ପୃକ୍ତ କାହାକୁ ବି ଛଡ଼ାଯିବ ନାହିଁ ଏବଂ ସମସ୍ତଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।




