ୱାଶିଂଟନ୍: ଫ୍ଲାଇ-ଦୁବାଇ ବିମାନ ଉପରେ ହୋଇଥିବା ସନ୍ଦିଗ୍ଧ ଆକ୍ରମଣ ଉଦ୍ୟମ ପଛରେ ଇରାନ୍ ସମ୍ପୃକ୍ତ ଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ୟକ୍ତିଗତ ଭାବେ ବିଶ୍ୱାସ କରୁଥିବା ପ୍ରକାଶ କରିଛନ୍ତି। ତେବେ ଉପ-ରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଘଟଣାରେ ତେହେରାନ୍ର ସମ୍ପୃକ୍ତି ନେଇ ଏପର୍ଯ୍ୟନ୍ତ କୌଣସି ପ୍ରତ୍ୟକ୍ଷ କିମ୍ବା ଚୂଡ଼ାନ୍ତ ପ୍ରମାଣ ମିଳିନଥିବା କହିଛନ୍ତି। ଏହାସହ ବ୍ରିଟେନ୍ରେ ଆମେରିକୀୟ ସାମରିକ ଘାଟି ପ୍ରତି ସୃଷ୍ଟି ହୋଇଥିବା ନୂଆ ସୁରକ୍ଷା ସଙ୍କଟ ପଛରେ ମଧ୍ୟ ଇରାନ୍ର ହାତ ଥିବା ନେଇ ଦୁଇ ନେତା ଆଶଙ୍କା ପ୍ରକଟ କରିଛନ୍ତି।
ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି, “ହଁ, ମୁଁ ବ୍ୟକ୍ତିଗତ ଭାବେ ବିଶ୍ୱାସ କରେ ଯେ ଫ୍ଲାଇ-ଦୁବାଇ ବିମାନ ଆକ୍ରମଣ ଉଦ୍ୟମ ପଛରେ ଇରାନ୍ ଦାୟୀ।” ତେବେ ଏହି ଦାବି ସପକ୍ଷରେ ସେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିନାହାନ୍ତି।
ଅନ୍ୟପଟେ, ଉପ-ରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ପ୍ରସଙ୍ଗରେ ଅଧିକ ସତର୍କତା ଅବଲମ୍ବନ କରି କହିଛନ୍ତି, “ଏହା ଏପରି ଏକ ବିଷୟ ଯାହା ଉପରେ ସିଆଇଏ (CIA) ନିର୍ଦ୍ଦେଶକ ଜନ୍ ରୋଟକ୍ଲିଫ୍ ଏବଂ ଗୁପ୍ତଚର ବିଭାଗ ତଦନ୍ତ କରୁଛନ୍ତି। ଆମେ ସ୍ଥିତି ଉପରେ କଡ଼ା ନଜର ରଖିଛୁ, ମାତ୍ର ବର୍ତ୍ତମାନ ସୁଦ୍ଧା କୌଣସି ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚିବା ଭଳି ତଥ୍ୟ ମିଳିନାହିଁ।” ଏହି ଘଟଣା ପରେ ଆମେରିକାରେ ବିଦେଶୀ ପାଇଲଟ୍ମାନଙ୍କୁ ନେଇ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯାଉଥିବା ସେ ସୂଚନା ଦେଇଛନ୍ତି।
ବ୍ରିଟେନ୍ରେ ଥିବା ଆମେରିକୀୟ ସାମରିକ ଘାଟି ପ୍ରତି ସୃଷ୍ଟି ହୋଇଥିବା ସୁରକ୍ଷା ଆଶଙ୍କାକୁ ନେଇ ଟ୍ରମ୍ପ ପ୍ରଶାସନ ଅଧିକ ସ୍ପଷ୍ଟତା ଦେଖାଇଛି। ସୁରକ୍ଷା ଦୃଷ୍ଟିରୁ ଆମେରିକାର ବୋମାବର୍ଷୀ ବିମାନ ଗୁଡ଼ିକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଟ୍ରମ୍ପ କହିଛନ୍ତି, “ଶତ୍ରୁକୁ ସୁଯୋଗ ଦେବା ପରିବର୍ତ୍ତେ ଆମେ ନିଜର ସାମରିକ ସମ୍ପତ୍ତିକୁ ସୁରକ୍ଷିତ ରଖିବାକୁ ଶ୍ରେୟସ୍କର ମଣିଲୁ। ଯେଉଁମାନେ ଆମକୁ ଧମକ ଦେଇଛନ୍ତି, ସେମାନେ ଇରାନ୍ ସହ ଯୋଡ଼ିହୋଇଛନ୍ତି ଏବଂ ସେମାନେ ବଡ଼ ବିପଦରେ ପଡ଼ିବାକୁ ଯାଉଛନ୍ତି।”
ଇରାନ୍ ସହ ଆଲୋଚନା ସମ୍ପର୍କରେ ପଚରାଯିବାରୁ ଟ୍ରମ୍ପ କହିଛନ୍ତି ଯେ ସେ କୂଟନୈତିକ ଆଲୋଚନା ପାଇଁ ସଦାସର୍ବଦା ପ୍ରସ୍ତୁତ, ମାତ୍ର ଇରାନ୍କୁ କଦାପି ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ।




