ନୂଆଦିଲ୍ଲୀ: ଦେଶଜୁଡ଼ା ତୀବ୍ର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ତାଲିକାରେ ଭାରତର ସହରଗୁଡ଼ିକ ଶୀର୍ଷସ୍ଥାନ ଦଖଲ କରିଛି। ମଙ୍ଗଳବାର ଅପରାହ୍ଣ ପ୍ରାୟ ୨ଟା ୩୦ ସମୟରେ ଏକ୍ୟୁଆଇ.ଇନ୍‌ ପକ୍ଷରୁ ପ୍ରକାଶିତ ଲାଇଭ୍ ଟେମ୍ପରେଚର୍ ର୍ୟାଙ୍କିଙ୍ଗ୍‌ ଅନୁସାରେ, ବିଶ୍ୱର ସର୍ବାଧିକ ଉତ୍ତପ୍ତ ୧୦୦ଟି ସହର ମଧ୍ୟରୁ ସମସ୍ତ ସହର ଭାରତର ଥିଲା। ଏହା ଦେଶର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଭୟଙ୍କର ଗ୍ରୀଷ୍ମ ଲହରିର ଚିତ୍ର ସ୍ପଷ୍ଟ କରିଛି।

ରିପୋର୍ଟ ଅନୁଯାୟୀ, ତାଲିକାର ନିମ୍ନ ସ୍ଥାନରେ ଥିବା ସହରଗୁଡ଼ିକରେ ମଧ୍ୟ ତାପମାତ୍ରା ୪୪ ଡିଗ୍ରି ସେଲସିୟସ୍‌ ଉପରେ ରହିଥିଲା। ଶୀର୍ଷ ୭ଟି ସହରର ତାପମାତ୍ରା ୪୮ ଡିଗ୍ରି ସେଲସିୟସ୍‌ ନିକଟକୁ ପହଞ୍ଚିଥିଲା। ଏହି ତାଲିକାରେ ନୂଆଦିଲ୍ଲୀ, ଫରିଦାବାଦ, ଚଣ୍ଡୀଗଡ଼, ଜମ୍ମୁ, ଆଗ୍ରା, ଅଯୋଧ୍ୟା, ଗ୍ୱାଲିୟର, କୋଟା ଓ ରାୟପୁର ପରି ପ୍ରମୁଖ ସହରମାନେ ମଧ୍ୟ ସ୍ଥାନ ପାଇଥିଲେ।

ଚଣ୍ଡୀଗଡ଼, ଜମ୍ମୁ, ଭଟିଣ୍ଡା, ପଠାନକୋଟ, ବରେଲି, ଝାନସୀ, କୈଥଲ ଓ ହରିଦ୍ୱାର ଭଳି ସହରରେ ଅପରାହ୍ଣ ସୁଦ୍ଧା ତାପମାତ୍ରା ୪୬ ଡିଗ୍ରି ସେଲସିୟସ୍‌ ଛୁଇଁଥିଲା। ସେହିପରି ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ରର ବହୁ ସହରରେ ୪୫ ଡିଗ୍ରି ସେଲସିୟସ୍‌ରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି।

ପୂର୍ବ ଭାରତରେ ମଧ୍ୟ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ଆସାନସୋଲ ଓ ଦୁର୍ଗାପୁରରେ ୪୫ ଡିଗ୍ରି ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାଡ଼ଖଣ୍ଡର ଧାନବାଦରେ ୪୪ ଡିଗ୍ରି ସେଲସିୟସ୍‌ ରହିଥିଲା। ର୍ୟାଙ୍କିଙ୍ଗର ୯୯ତମ ସ୍ଥାନରେ ନୂଆଦିଲ୍ଲୀ ଓ ୧୦୦ତମ ସ୍ଥାନରେ ଫରିଦାବାଦ ଥିଲା, ଯେଉଁଠାରେ ତାପମାତ୍ରା ୪୪ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିଲା।

ଏପରି ପରିସ୍ଥିତି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବାକୁ ନେଇ ସତର୍କ କରିଛି। ଆଇଏମ୍‌ଡିର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ବିଦର୍ଭରେ ଆଗାମୀ କିଛି ଦିନ ଧରି ତୀବ୍ର ଗ୍ରୀଷ୍ମ ପ୍ରବାହ ଜାରି ରହିପାରେ।

ପାଣିପାଗ ବିଭାଗ ଆହୁରି କହିଛି ଯେ, ମେ ୧୯ରୁ ୨୪ ମଧ୍ୟରେ ପଶ୍ଚିମ ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଅଧିକ ତୀବ୍ର ହେବା ସମ୍ଭାବନା ରହିଛି। ପୂର୍ବ ଉତ୍ତରପ୍ରଦେଶରେ ମେ ୨୦ ପର୍ଯ୍ୟନ୍ତ ଉତ୍ତାପ ଜାରି ରହିପାରେ। ରବିବାର ଦେଶର ସର୍ବାଧିକ ତାପମାତ୍ରା ଉତ୍ତରପ୍ରଦେଶର ବାନ୍ଦାରେ ୪୭.୬ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଥିଲା।

ଏହାସହ ଆଇଏମ୍‌ଡି ଆଗାମୀ ସପ୍ତାହରେ ଉତ୍ତର-ପୂର୍ବ ଏବଂ ଦକ୍ଷିଣ ଭାରତର କିଛି ଅଞ୍ଚଳରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ଥିବା କହିଛି।