ନୂଆଦିଲ୍ଲୀ: ବିଶ୍ୱ ଯୁଦ୍ଧ ସଙ୍କଟ ଓ ପାରମ୍ପରିକ ତେଲ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ପରେ ଭାରତ ବିକଳ୍ପ ତେଲ ଉତ୍ସ ଖୋଜିବାରେ ସକ୍ଷମ ହୋଇଛି। ଚଳିତ ମାସରେ ଭାରତ ତୃତୀୟ ସର୍ବାଧିକ ଅଶୋଧିତ ତେଲ ଭେନେଜୁଏଲାରୁ ଆମଦାନି କରିଛି। ଶସ୍ତା ଦରରେ ତେଲ ମିଳୁଥିବାରୁ ଭାରତୀୟ ତୈଳ କମ୍ପାନିମାନେ ବଡ଼ ପରିମାଣରେ ଭେନେଜୁଏଲାରୁ ତେଲ କିଣିବା ଆରମ୍ଭ କରିଛନ୍ତି।
ଶକ୍ତି ବଜାର ତଥ୍ୟ ପ୍ରଦାନକାରୀ ସଂସ୍ଥା ‘କେପଲର୍’ର ତଥ୍ୟ ଅନୁସାରେ, ମେ ମାସରେ ଭେନେଜୁଏଲା ଭାରତକୁ ଦୈନିକ ପ୍ରାୟ ୪,୧୭,୦୦୦ ବ୍ୟାରେଲ୍ ତେଲ ରପ୍ତାନି କରିଛି। ଗତ ୯ ମାସ ଧରି ଭାରତ ସେହି ଦକ୍ଷିଣ ଆମେରିକୀୟ ଦେଶରୁ କୌଣସି ତେଲ କିଣିନଥିଲା।
ଚଳିତ ମାସରେ ଭାରତ ସର୍ବାଧିକ ତେଲ ରୁଷରୁ ଏବଂ ଦ୍ୱିତୀୟ ସର୍ବାଧିକ ତେଲ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଆମଦାନି କରିଛି। ଯୁଦ୍ଧ ଆରମ୍ଭ ପୂର୍ବରୁ ଭାରତର ତୃତୀୟ ବୃହତ୍ତମ ତେଲ ଯୋଗାଣକାରୀ ଥିଲା ସାଉଦି ଆରବ। କିନ୍ତୁ ବର୍ତ୍ତମାନ ସାଉଦି ତେଲର ଦର ବଢ଼ିଥିବାରୁ ଭାରତ ବିକଳ୍ପ ଭାବେ ଭେନେଜୁଏଲାକୁ ବାଛିଛି।
ଇରାନ ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ପ୍ରତି ବ୍ୟାରେଲ୍ ୧୦୦ ଡଲାରରୁ ଅଧିକ ରହିଛି। ତେବେ ଭେନେଜୁଏଲାର ତେଲ ତୁଳନାମୂଳକ ଭାବେ କମ୍ ଦରରେ ମିଳୁଛି। ଯଦିଓ ସେହି ତେଲ ଭାରି ଏବଂ ଅଧିକ ସଲଫରଯୁକ୍ତ, ଭାରତରେ ଏହାକୁ ବିଶୋଧନ କରିବା ପାଇଁ ଆବଶ୍ୟକ ଢାଞ୍ଚା ରହିଛି।
ବିଶେଷକରି Reliance Industries ଭେନେଜୁଏଲାରୁ ବହୁ ପରିମାଣରେ ତେଲ ଆଣି ଗୁଜରାଟର ଜାମନଗର ବିଶୋଧନାଗାରରେ ପ୍ରକ୍ରିୟାକରଣ କରୁଛି। ଜାମନଗର ରିଫାଇନେରୀରେ ଭାରି ଏବଂ ଉଚ୍ଚ ସଲଫରଯୁକ୍ତ ତେଲ ବିଶୋଧନ ପାଇଁ ବିଶେଷ ସୁବିଧା ରହିଛି।
ତେବେ ଯୁଦ୍ଧ ଓ ପରିବହନ ସମସ୍ୟା ଯୋଗୁଁ ଭାରତର ମୋଟ ତେଲ ଆମଦାନି କମିଛି। ଫେବୃଆରିରେ ଭାରତ ଦୈନିକ ହାରାହାରି ୫.୨ ନିୟୁତ ବ୍ୟାରେଲ୍ ତେଲ ଆମଦାନି କରୁଥିବାବେଳେ, ମେ ମାସରେ ଏହା କମି ୪.୯ ନିୟୁତ ବ୍ୟାରେଲ୍କୁ ଆସିଛି।
ହର୍ମୁଜ ପ୍ରଣାଳୀ ବନ୍ଦ ରହିବାରୁ ତେଲ ପରିବହନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଇରାକରୁ ଆସୁଥିବା ତେଲ ଯୋଗାଣ ଉପରେ ମଧ୍ୟ ପଡ଼ିଛି। ମେ ମାସରେ ଭାରତ ଇରାକରୁ କେବଳ ୫୧ ହଜାର ବ୍ୟାରେଲ୍ ତେଲ ଆମଦାନି କରିଥିବାବେଳେ, ଫେବୃଆରିରେ ଏହା ଦୈନିକ ୯୬୯,୦୦୦ ବ୍ୟାରେଲ୍ ଥିଲା।
ସାତ ବର୍ଷ ପରେ ଭାରତ କିଛି ସମୟ ପାଇଁ ଇରାନରୁ ମଧ୍ୟ ତେଲ ଆମଦାନି ଆରମ୍ଭ କରିଥିଲା। କିନ୍ତୁ ଗତ ମାସକ ଧରି ଇରାନର କୌଣସି ତେଲବାହୀ ଜାହାଜ ଭାରତ ପହଞ୍ଚିନଥିବାରୁ ସେହି ଯୋଗାଣ ପୁଣି ବନ୍ଦ ହୋଇଯାଇଛି।




