ଭୁବନେଶ୍ୱର: ବିରୋଧୀ ଦଳଙ୍କ ଲଗାତାର ପ୍ରତିବାଦ ଯୋଗୁଁ ତିନି ଦିନ ଧରି ଅଚଳ ରହିବା ପରେ ସୋମବାର ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି। ସର୍ବଦଳୀୟ ବୈଠକ ଏବଂ ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ଗୃହରେ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ କୋଟିଆ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିବା ସହ ଏହା ଉପରେ ଆଲୋଚନା ଦାବି କରିଥିଲେ। ଫଳରେ ଗୃହକାର୍ଯ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ତେବେ ବାଚସ୍ପତି ସୁରମା ପାଢ଼ୀ କୋଟିଆ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଗୃହରେ ପ୍ରତିଶ୍ରୁତି ଦେବା ପରେ କଂଗ୍ରେସ ସଦସ୍ୟମାନେ ନିଜ ନିଜ ଆସନକୁ ଫେରିଥିଲେ ଏବଂ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଆଗକୁ ବଢ଼ିଥିଲା।
ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଅନୁଷ୍ଠିତ ହୋଇଥିଲା। ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକମାନଙ୍କ ଦ୍ୱାରା ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ସମ୍ପୃକ୍ତ ବିଭାଗର ମନ୍ତ୍ରୀମାନେ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଶୀତକାଳୀନ ଅଧିବେଶନର ପ୍ରଥମ ତିନି ଦିନ ସମ୍ପୂର୍ଣ୍ଣ ଭାବେ ଧୋଇଯାଇଥିଲା। ବାତ୍ୟା ଓ ବନ୍ୟା ପରିସ୍ଥିତି ମୁକାବିଲାରେ ରାଜ୍ୟ ସରକାରଙ୍କ କଥିତ ବିଫଳତାକୁ ବିଜେଡି ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ କଂଗ୍ରେସ କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲା। ଲଗାତାର ପ୍ରତିବାଦ ଯୋଗୁଁ ଗୃହ ଚଳାଇବା ଅସମ୍ଭବ ହୋଇପଡ଼ିଥିଲା। ଶେଷରେ ଗୃହରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଏବଂ ସୁରୁଖୁରୁରେ ଗୃହକାର୍ଯ୍ୟ ପରିଚାଳନା କରିବା ପାଇଁ ବାଚସ୍ପତି ସୁରମା ପାଢ଼ୀ ଏକ ସର୍ବଦଳୀୟ ବୈଠକ ଡାକିଥିଲେ, ଯାହାର ସକାରାତ୍ମକ ପ୍ରଭାବ ଚତୁର୍ଥ ଦିନରେ ଦେଖିବାକୁ ମିଳିଛି।




