ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ହଲଚଲ ଦେଖିବାକୁ ମିଳିଛି। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ବାସଭବନ ‘ମାତୋଶ୍ରୀ’ରେ ଆୟୋଜିତ ସାଂସଦମାନଙ୍କ ବୈଠକକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ବୈଠକରେ ମାତ୍ର ୫ ଜଣ ସାଂସଦ ଉପସ୍ଥିତ ଥିବାରୁ, ଏହାକୁ ନେଇ ‘ଅପରେସନ ଟାଇଗର୍’ର କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁମ୍ବାଇ ଦକ୍ଷିଣ ସାଂସଦ ଅରବିନ୍ଦ ସାୱନ୍ତ, ଅନିଲ ଦେଶାଇ ଏବଂ ନାସିକ ସାଂସଦ ରାଜାଭାଉ ୱାଜେ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପଟେ ମୁମ୍ବାଇ ଉତ୍ତର ପୂର୍ବର ସାଂସଦ ସଞ୍ଜୟ ଦିନା ପାଟିଲ ବୈଠକ ଶେଷ ହେବା ପରେ ପହଞ୍ଚିଥିଲେ। ସାଂସଦମାନଙ୍କର ଏହି ଅନୁପସ୍ଥିତି ଦଳ ମଧ୍ୟରେ ସବୁ କିଛି ଠିକ୍ ନଥିବା ଆଡ଼କୁ ଇଶାରା କରୁଛି।ଏସବୁ ଭିତରେ ଉଦ୍ଧବ ଠାକରେଙ୍କ ବୟାନ ରାଜନୈତିକ ମାହୋଲକୁ ଆହୁରି ଗରମ କରିଦେଇଛି। ସେ କହିଛନ୍ତି, “ଯିଏ ଯେଉଁଠିକୁ ଯିବାକୁ ଚାହୁଁଛି ଯାଇପାରିବେ। ଏବେ ସମୟ ଖରାପ ଚାଲିଛି, କିନ୍ତୁ ଆଜି ନହେଲେ କାଲି ସମୟ ନିଶ୍ଚୟ ବଦଳିବ ଏବଂ ଦଳ ଛାଡ଼ି ଯାଇଥିବା ନେତାମାନେ ପରେ ଅନୁତାପ କରିବେ।”

ଏକନାଥ ସିନ୍ଦେଙ୍କ ବିଦ୍ରୋହ ପ୍ରସଙ୍ଗରେ ଠାକରେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ବାଲ ଠାକରେଙ୍କ ପ୍ରତିଷ୍ଠିତ ଦଳକୁ ଛାଡ଼ିଥିବା ନେତାମାନେ ଯେତେବେଳେ ସତ୍ୟ ବୁଝିବେ, ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିବ। ସେ ମୁଖ୍ୟମନ୍ତ୍ରୀ ଥିବା ସମୟର ସ୍ମୃତି ଚାରଣ କରି କହିଛନ୍ତି, “ଲୋକେ ଭାବୁଥିଲେ ମୁଁ କିଛି ଜାଣିନି, କିନ୍ତୁ ମୋ ପାଖରେ ସବୁ ଖବର ଥିଲା। ମୁଁ କାହା ଉପରେ ଚାପ ପକାଇ ନଥିଲି କି କାହାର ଦୁର୍ନୀତି ଫାଇଲ୍ ଖୋଲି ନଥିଲି। ଯିଏ ଯିବାକୁ ଚାହୁଁଛି, ସେ ମୁକ୍ତ ଭାବେ ଯାଇପାରେ, ମୁଁ କେବଳ ସେମାନଙ୍କୁ ଶୁଭେଚ୍ଛା ଜଣାଇବି।”