ନ୍ୟୁୟର୍କ/ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ (UNSC) ରେ ପାକିସ୍ତାନ ବିରୋଧରେ ଭାରତ ଏକ ଶକ୍ତ କୂଟନୈତିକ ଆକ୍ରମଣ କରିଛି। କେତେକ ଆତଙ୍କବାଦୀ ଗୋଷ୍ଠୀକୁ ବୁଝାଇବା ପାଇଁ ପାକିସ୍ତାନ ପକ୍ଷରୁ ବ୍ୟବହାର କରାଯାଉଥିବା “ଫିତନା ଅଲ୍-ହିନ୍ଦୁସ୍ତାନ” ଶବ୍ଦକୁ ଭାରତ ତୀବ୍ର ନିନ୍ଦା କରିବା ସହ ଏହାକୁ ମିଥ୍ୟା ପ୍ରଚାର ବୋଲି କହିଛି।
ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି, ରାଷ୍ଟ୍ରଦୂତ ହରୀଶ ପର୍ବତନେନୀ ପରିଷଦର ବୈଠକରେ ପାକିସ୍ତାନକୁ କଡ଼ା ଜବାବ ଦେଇ କହିଛନ୍ତି ଯେ, ନିଜର ମିଥ୍ୟା ପ୍ରଚାରକୁ ଧାର୍ମିକ ଶବ୍ଦାବଳୀରେ ସଜେଇବା ପାଇଁ ପାକିସ୍ତାନର ଏହା ଏକ ଅପଚେଷ୍ଟା। ନିଜ ନାଗରିକଙ୍କ ମଧ୍ୟରେ ଭାରତ ବିରୋଧୀ ମନୋଭାବ ବଜାୟ ରଖିବା ପାକିସ୍ତାନର ଏକ ସୁଚିନ୍ତିତ ରଣନୀତି। ପାକିସ୍ତାନର ‘ଡିପ୍ ଷ୍ଟେଟ୍’ (ସେନା ଓ ଗୁପ୍ତଚର ସଂସ୍ଥା) ନିଜର ଆଭ୍ୟନ୍ତରୀଣ ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟରୁ ଜନସାଧାରଣଙ୍କ ଦୃଷ୍ଟି ହଟାଇବା ପାଇଁ ଏଭଳି କରୁଛି। ଏହା ପାକିସ୍ତାନର ସେହି ସଂଗଠିତ ‘ଘୃଣା କାରଖାନା’ ର ପରିଣାମ, ଯାହାର ଉଦ୍ଦେଶ୍ୟ ହେଉଛି ନିଜ ଦେଶର କ୍ଷମତା ଓ ସମ୍ବଳ ଉପରେ ନିୟନ୍ତ୍ରଣ ବଜାୟ ରଖିବା।
ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ୨୦୨୫ ମସିହାରେ ବାଲୁଚିସ୍ତାନରେ ସକ୍ରିୟ ଥିବା ବିଦ୍ରୋହୀ ଗୋଷ୍ଠୀଗୁଡ଼ିକୁ ଆନୁଷ୍ଠାନିକ ଭାବେ “ଫିତନା ଅଲ୍-ହିନ୍ଦୁସ୍ତାନ” ବୋଲି ନାମିତ କରି ଏଥିରେ ବାହ୍ୟ ଶକ୍ତିର ହାତ ଥିବା ଦାବି କରିଥିଲା। ଭାରତ ଏହି ଅଭିଯୋଗକୁ ସଦାସର୍ବଦା ପ୍ରତ୍ୟାଖ୍ୟାନ କରିଆସିଛି।
ଏହା ସହିତ ଶାସନ ବ୍ୟବସ୍ଥାରେ ପାକିସ୍ତାନ ସେନାବାହିନୀର ବଢ଼ୁଥିବା ପ୍ରଭାବ ଆଡ଼କୁ ମଧ୍ୟ ଭାରତ ସଙ୍ଗୀନ ଇସାରା କରିଛି। ନିକଟରେ ହୋଇଥିବା ସାମ୍ବିଧାନିକ ପରିବର୍ତ୍ତନ ଏବଂ ଜେନେରାଲ ଅସିମ ମୁନିରଙ୍କୁ ଦେଶର ପ୍ରଥମ ‘ଚିଫ୍ ଅଫ୍ ଡିଫେନ୍ସ ଫୋର୍ସେସ୍’ (CDF) ଭାବେ ନିଯୁକ୍ତି ଦିଆଯିବା ପ୍ରସଙ୍ଗ ଉଠାଇ ଭାରତ କହିଛି ଯେ, ସେଠାରେ ସାଧାରଣ ନାଗରିକ ସଂସ୍ଥାଗୁଡ଼ିକ ଉପରେ ସେନାର ଆଧିପତ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି।
ଆଫଗାନିସ୍ତାନ ସୀମାରେ ପାକିସ୍ତାନ କରୁଥିବା ସାମରିକ ଆକ୍ରମଣ ଯୋଗୁଁ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଉଥିବା ନେଇ ମଧ୍ୟ ଭାରତ ଉଦ୍ବେଗ ପ୍ରକାଶ କରିଛି। ପର୍ବତନେନୀ କହିଛନ୍ତି, “ଏକ ଗଣହତ୍ୟାକୁ ସାମରିକ ଅପରେସନର ରୂପ ଦେଲେ ଦୋଷୀ ମୁକ୍ତ ହୋଇଯିବ ନାହିଁ। ନିରୀହ ନାଗରିକଙ୍କୁ ହତ୍ୟା କରିବା କଦାପି ଆତଙ୍କବାଦ ବିରୋଧୀ ଲଢ଼େଇ ହୋଇପାରିବ ନାହିଁ।” ଆଭ୍ୟନ୍ତରୀଣ ବିଫଳତା ପାଇଁ ପଡ଼ୋଶୀ ଦେଶକୁ ଦୋଷ ଦେବାର ପାକିସ୍ତାନର ପୁରୁଣା ଅଭ୍ୟାସକୁ ବିଶ୍ୱ ସମୁଦାୟ ଆଉ ଗ୍ରହଣ କରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି।




