ମୁମ୍ବାଇ/ମସ୍କାଟ: ସମୁଦ୍ର ମଧ୍ୟରେ ଏକ ବଡ଼ ଧରଣର ସାମୁଦ୍ରିକ ବିପର୍ଯ୍ୟୟ ଟଳିଯାଇଛି। ଆନ୍ତର୍ଜାତୀୟ ସହଯୋଗ ଏବଂ ତତ୍ପରତା ଯୋଗୁଁ ଓମାନ ଉପକୂଳରେ ଏକ ତେଲ ବାହୀ ଜାହାଜ ଉପରେ ମିସାଇଲ୍ ଆକ୍ରମଣ ପରେ ୨୪ ଜଣ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପାଲାଉ ପତାକାଧାରୀ ଏହି ଜାହାଜ ‘ଏମଟି ମାରିଭେକ୍ସ’ କର୍ଣ୍ଣାଟକର କାରୱାରରୁ ଓମାନର ଦୁକମ୍ ଅଭିମୁଖେ ଯାଉଥିବା ସମୟରେ ସୋମବାର ଏହା ଉପରେ ଏକ ମିସାଇଲ୍ ମାଡ଼ ହୋଇଥିଲା। ଏହି ଆକ୍ରମଣ ପରେ ଜାହାଜରେ ଭୟାବହ ନିଆଁ ଲାଗିଯାଇଥିଲା।
ଭାରତ ଏବଂ ଓମାନର ମିଳିତ ଅପରେସନ
ଜାହାଜରୁ ଜରୁରୀକାଳୀନ ସୂଚନା ମିଳିବା ମାତ୍ରେ ମୁମ୍ବାଇସ୍ଥିତ ମ୍ୟାରିଟାଇମ୍ ରେସକ୍ୟୁ କୋଅର୍ଡିନେସନ୍ ସେଣ୍ଟର (MRCC) ତୁରନ୍ତ ଓମାନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲା। ମାତ୍ର କେଇ ଘଣ୍ଟା ମଧ୍ୟରେ ଓମାନ ନୌସେନାର ହେଲିକପ୍ଟରଗୁଡ଼ିକ ଜଳୁଥିବା ଜାହାଜ ନିକଟରେ ପହଞ୍ଚିଥିଲେ। ସମୁଦ୍ର ମଧ୍ୟରେ ଲାଗିଥିବା ନିଆଁ ଓ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଓମାନ ସେନାର ଯବାନମାନେ ସେହି ଜାହାଜରେ ଫସି ରହିଥିବା ସମସ୍ତ ୨୪ ଜଣ ଭାରତୀୟ ନାବିକଙ୍କୁ ସଫଳତାର ସହ ଏୟାରଲିଫ୍ଟ କରି ସୁରକ୍ଷିତ ସ୍ଥାନକୁ ନେଇଥିଲେ।
ଭାରତୀୟ ନୌବହନ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଓପେଶ କୁମାର ଶର୍ମା ଏହି ଉଦ୍ଧାର କାର୍ଯ୍ୟର ସଫଳତା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ଜାହାଜରେ ଥିବା ସମସ୍ତ ୨୪ ଜଣ ଭାରତୀୟ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।” ଏଥିସହ ଡିଜି ସିପିଂ (ଗତ କିଛି ମାସ ମଧ୍ୟରେ ହଜାର ହଜାର ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବାରେ ସଫଳ ହୋଇଥିବା ସେ ପ୍ରକାଶ କରିଛନ୍ତି।
ଭାରତୀୟ କୋଷ୍ଟଗାର୍ଡ ଏହି ସଫଳ ଅପରେସନକୁ ପ୍ରଶଂସା କରିବା ସହ ଏହା ଭାରତ ମହାସାଗରୀୟ ଅଞ୍ଚଳରେ ଦେଶଗୁଡ଼ିକ ମଧ୍ୟରେ ଥିବା ମଜବୁତ ଆନ୍ତର୍ଜାତୀୟ ସାମରିକ ସମ୍ପର୍କର ଏକ ଜ୍ୱଳନ୍ତ ଉଦାହରଣ ବୋଲି କହିଛି। ସମୁଦ୍ର ଯାତ୍ରାର ବିପଦ ମଧ୍ୟରେ ଦୁଇ ଦେଶର ଠିକ୍ ସମୟର ସହଯୋଗ ଆଜି ୨୪ ଜଣ ଭାରତୀୟଙ୍କୁ ନୂଆ ଜୀବନ ଦେଇଛି।




