କାଠମାଣ୍ଡୁ: ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣର ସଫଳତା ପରେ ଫେରୁଥିବା ସମୟରେ ଦୁଇ ଭାରତୀୟ ପର୍ବତାରୋହୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ନେପାଳ ପର୍ବତାରୋହଣ ସଂଘ ସୂଚନା ଅନୁସାରେ, ମୃତ ପର୍ବତାରୋହୀ ହେଲେ ଅରୁଣ କୁମାର ତିୱାରୀ ଓ ସନ୍ଦୀପ ଆରେ।
ସନ୍ଦୀପ ବୁଧବାର ଏବଂ ଅରୁଣ ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ୩୦ ସମୟରେ ୮,୮୪୮.୮୬ ମିଟର ଉଚ୍ଚତା ବିଶିଷ୍ଟ ଏଭରେଷ୍ଟ ଶିଖରକୁ ସଫଳତାର ସହ ଆରୋହଣ କରିଥିଲେ। କିନ୍ତୁ ଶିଖରରୁ ଫେରିବା ସମୟରେ ଉଚ୍ଚତାଜନିତ ଅସୁବିଧା, ଅତ୍ୟଧିକ ଥକ୍କାପଣ ଓ ଶାରୀରିକ ଦୁର୍ବଳତା ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା।
ଅଭିଜ୍ଞ ଶେରପା ଗାଇଡମାନେ ସେମାନଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିବା ପାଇଁ ଅନେକ ପ୍ରୟାସ କରିଥିଲେ। ସନ୍ଦୀପ ଆରେଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ବାଲକୋନି ଅଞ୍ଚଳରୁ ସାଉଥ୍ କଲକୁ ଉଦ୍ଧାର କରାଯାଇଥିଲା। ତେବେ ଗୁରୁବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ସେହିପରି ଅରୁଣ କୁମାର ତିୱାରୀ ଦୁଇଜଣ ଶେରପା ଗାଇଡଙ୍କ ସହ ଫେରୁଥିବା ବେଳେ ଏଭରେଷ୍ଟର ସବୁଠାରୁ ବିପଦପୂର୍ଣ୍ଣ ସ୍ଥାନ ‘ହିଲାରୀ ଷ୍ଟେପ୍’ ନିକଟରେ ଅତ୍ୟଧିକ ଦୁର୍ବଳ ହୋଇପଡ଼ିଥିଲେ। ଅନେକ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରାଯାଇନଥିଲା।
ଏହି ଦୁଇ ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ ସହ ଚଳିତ ବସନ୍ତକାଳୀନ ପର୍ବତାରୋହଣ ସିଜନରେ ଏଭରେଷ୍ଟରେ ମୋଟ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପୂର୍ବରୁ ତିନିଜଣ ନେପାଳୀ ପର୍ବତାରୋହୀ ପ୍ରାଣ ହରାଇଥିଲେ।
ଏହି ଘଟଣା ଏଭଳି ସମୟରେ ଘଟିଛି, ଯେତେବେଳେ ବୁଧବାର ନେପାଳ ପାର୍ଶ୍ୱରୁ ଗୋଟିଏ ଦିନରେ ସର୍ବାଧିକ ୨୭୪ ଜଣ ପର୍ବତାରୋହୀ ଏଭରେଷ୍ଟ ଜୟ କରି ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଏଥିରେ ଏହି ଦୁଇ ଭାରତୀୟ ମଧ୍ୟ ସାମିଲ ଥିଲେ। ପୂର୍ବରୁ ୨୦୧୯ ମସିହାରେ ଗୋଟିଏ ଦିନରେ ୨୨୩ ଜଣ ଏଭରେଷ୍ଟ ଜୟ କରିଥିବା ରେକର୍ଡ ଥିଲା।
ଚଳିତ ସିଜନରେ ନେପାଳ ସରକାର ମୋଟ ୫୦୨ ଜଣ ପର୍ବତାରୋହୀଙ୍କୁ ଏଭରେଷ୍ଟ ଆରୋହଣ ପାଇଁ ଅନୁମତି ଦେଇଛନ୍ତି। ଏହା ନେପାଳର ପର୍ଯ୍ୟଟନ ରାଜସ୍ୱର ଏକ ପ୍ରମୁଖ ଉତ୍ସ ହୋଇଥିଲେ ମଧ୍ୟ, ଉଚ୍ଚତାଜନିତ ବିପଦ ଓ ପ୍ରକୃତିର ପ୍ରତିକୂଳ ପରିସ୍ଥିତି ଏଭରେଷ୍ଟ ଆରୋହଣକୁ ଏବେବି ଅତ୍ୟନ୍ତ ଜୁଆଁପୂର୍ଣ୍ଣ କରିରଖିଛି।




