ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଝଟ୍‌କା। ଦେଶର ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ‘ଇଣ୍ଡିଗୋ’ ଘରୋଇ ଏବଂ ଆନ୍ତର୍ଜାତୀୟ ଉଭୟ ରୁଟ୍‌ରେ ଇନ୍ଧନ ଶୁଳ୍କ ବୃଦ୍ଧି କରିବାକୁ ଘୋଷଣା କରିଛି। ବିମାନ ଇନ୍ଧନ (ATF) ର ଦରବୃଦ୍ଧି ଏବଂ ବିମାନ ପରିଚାଳନା ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି।

ଅକ୍ଟୋବର ୬ ତାରିଖ ରାତି ୧୨ଟା ୧ (12:01 AM) ପରଠାରୁ ହେବାକୁ ଥିବା ସମସ୍ତ ନୂଆ ବୁକିଂ ଉପରେ ଏହି ବଦଳିଥିବା ଶୁଳ୍କ ଲାଗୁ ହେବ।

ଘରୋଇ ଉଡ଼ାଣ ପାଇଁ ନୂଆ ଶୁଳ୍କ:

  • ୫୦୦ କିମି ପର୍ଯ୍ୟନ୍ତ: ୩୭୫ ଟଙ୍କା
  • ୫୦୧ ରୁ ୧,୦୦୦ କିମି: ୬୦୦ ଟଙ୍କା
  • ୧,୦୦୧ ରୁ ୧,୫୦୦ କିମି: ୯୦୦ ଟଙ୍କା
  • ୧,୫୦୧ ରୁ ୨,୦୦୦ କିମି: ୧,୧୫୦ ଟଙ୍କା
  • ୨,୦୦୦ କିମିରୁ ଅଧିକ: ୧,୩୦୦ ଟଙ୍କା

ଆନ୍ତର୍ଜାତୀୟ ଉଡ଼ାଣ ପାଇଁ ଶୁଳ୍କ:

ଆନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଗନ୍ତବ୍ୟ ସ୍ଥଳ ଆଧାରରେ ୧,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ପଡ଼ିବ। ‘ସାର୍କ’ (SAARC) ଦେଶଗୁଡ଼ିକ ପାଇଁ ୩,୦୦୦ ଟଙ୍କା, ଦକ୍ଷିଣ-ପୂର୍ବ ଏସିଆ, ଜିସିସି (GCC), ମଧ୍ୟପ୍ରାଚ୍ୟ, ଉତ୍ତର ଓ ପୂର୍ବ ଏସିଆ ପାଇଁ ୫,୫୦୦ ଟଙ୍କା, ଆଫ୍ରିକା ପାଇଁ ୬,୦୦୦ ଟଙ୍କା ଏବଂ ୟୁରୋପୀୟ ଦେଶଗୁଡ଼ିକ ପାଇଁ ୧୦,୦୦୦ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି।

ପୂର୍ବରୁ ସେପ୍ଟେମ୍ବର ମାସରେ ଇଣ୍ଡିଗୋ ଶିଶୁ ଯାତ୍ରା, ଅତିରିକ୍ତ ଲଗେଜ୍‌ ଏବଂ ଏକାକୀ ଯାତ୍ରା କରୁଥିବା ନାବାଳକଙ୍କ ସେବା ଶୁଳ୍କ ବୃଦ୍ଧି କରିଥିଲା। ଆଗାମୀ ଦିନରେ ବିମାନ ଇନ୍ଧନ ଦରକୁ ସମୀକ୍ଷା କରି କମ୍ପାନୀ ପୁଣିଥରେ ଏଥିରେ ପରିବର୍ତ୍ତନ କରିପାରେ ବୋଲି ସୂଚନା ଦେଇଛି।