ବାଲିପାଟଣା: ମଧ୍ୟାହ୍ନ ଭୋଜନର ବକେୟା ବିଲ୍‌ ପ୍ରସ୍ତୁତ କରିବା ଓ ଏଥିରେ ଦସ୍ତଖତ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍‌ ଅଞ୍ଚଳର ଜଣେ ପ୍ରଧାନଶିକ୍ଷକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଗୁଆପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏସ୍‌. କେ. ରିଆଜ ଅଲ୍ଲୀଙ୍କୁ ଭିଜିଲାନ୍ସ ଟିମ୍‌ ଧରିଥିବା ଜଣାପଡ଼ିଛି। ତାଙ୍କ ପାଖରୁ ଲାଞ୍ଚ ବାବଦ ୧୫ ହଜାର ଟଙ୍କା ଜବତ କରାଯାଇଛି।

ସୂଚନା ଅନୁସାରେ, ଗୁଆପୁର ସ୍କୁଲ୍‌ରେ ପୂର୍ବରୁ ପ୍ରଧାନଶିକ୍ଷକ ଥିବା ପ୍ରଭାକର ମଲ୍ଲିକଙ୍କର ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ମଧ୍ୟାହ୍ନ ଭୋଜନ ବିଲ୍‌ ବକେୟା ଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ତାଙ୍କର ଅନ୍ୟତ୍ର ବଦଳି ହେବା ପରେ ବକେୟା ବିଲ୍‌ ପ୍ରକ୍ରିୟା ଶେଷ କରିବା ପାଇଁ ସେ ନୂଆ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ଏସ୍‌. କେ. ରିଆଜ ଅଲ୍ଲୀଙ୍କୁ ଅନୁରୋଧ କରିଥିଲେ।

ଅଭିଯୋଗ ଅନୁସାରେ, ବିଲ୍‌ରେ ଦସ୍ତଖତ କରିବା ପାଇଁ ରିଆଜ ଅଲ୍ଲୀ ୧୫ ହଜାର ଟଙ୍କା ଦାବି କରିଥିଲେ। ଏହାପରେ ପୂର୍ବତନ ପ୍ରଧାନଶିକ୍ଷକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ଟିମ୍‌ ଟ୍ରାପ୍‌ ଯୋଜନା କରିଥିଲା। ସରଦେଇପୁର-ନିମାପଡ଼ା ରାସ୍ତାର ଗୋପ ଗରଡ଼ା ଛକ ନିକଟରେ ଟିମ୍‌ ଛକି ରହିଥିଲା। ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ପ୍ରଧାନଶିକ୍ଷକଙ୍କୁ କାବୁ କରାଯାଇ ତାଙ୍କ ପକେଟରୁ ୧୫ ହଜାର ଟଙ୍କା ଜବତ କରାଯାଇଥିଲା।

ଏହାପରେ ଭିଜିଲାନ୍ସ ଟିମ୍‌ ଗୁଆପୁର ବିଦ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ମଧ୍ୟାହ୍ନ ଭୋଜନ ସମ୍ପର୍କିତ ରେଜିଷ୍ଟର ଜବତ କରିଥିଲା। ସ୍କୁଲ୍‌ର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ଏହା ସହ ପ୍ରଧାନଶିକ୍ଷକଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।

ଗୁଆପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ସମେତ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀରେ ୧୬୨ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି।