ତେହେରାନ/ବେରୁତ: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଇସ୍ରାଏଲ ଓ ଲେବାନନ ମଧ୍ୟରେ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା ପରେ, ଇରାନ ତାହାର ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ପୁଣିଥରେ ବାଣିଜ୍ୟିକ ଚାଲଚଳ ପାଇଁ ଖୋଲିଦେଇଛି।

ଏହି ପଦକ୍ଷେପ ମାତ୍ର ସାମରିକ ତଣାତଣି କମାଇବା ପାଇଁ ନୁହେଁ, ବରଂ ବିଶ୍ୱ ଅର୍ଥନୀତିକୁ ମଧ୍ୟ ବଡ଼ ଆଶ୍ବସ୍ତି ଦେଇଛି। ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ପରିବହନ ଏହି ମାର୍ଗ ଦ୍ୱାରା ହେଉଥିବାରୁ, ଏହା ଖୋଲାଯିବାରୁ ତୈଳ ଯୋଗାଣ ସ୍ଥିର ହେବାର ଆଶା ବଢ଼ିଛି।

ଗତ କିଛି ଦିନ ଧରି ଆମେରିକାର ନିୟନ୍ତ୍ରଣ ଓ ଆଞ୍ଚଳିକ ତଣାତଣି ଯୋଗୁଁ ଇରାନର ଅନେକ ତୈଳ ଟ୍ୟାଙ୍କର ଅଟକି ରହିଥିଲା। ବର୍ତ୍ତମାନ ସେଗୁଡ଼ିକ ଗନ୍ତବ୍ୟସ୍ଥଳ ଦିଗକୁ ଗତି କରୁଛି। ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଏହି ଅସ୍ତ୍ରବିରତିକୁ ସମ୍ମାନ ଦେଇ ଇରାନ ଏହି ନିଷ୍ପତ୍ତି ନେଇଛି।

ସୂଚନା ଅନୁଯାୟୀ, ଇସ୍ରାଏଲ ଓ ଲେବାନନ ମଧ୍ୟରେ ୧୦ ଦିନ ପାଇଁ ସମସ୍ତ ପ୍ରକାର ସାମରିକ କାର୍ଯ୍ୟକଳାପ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଲେବାନନ ସରକାର ଦକ୍ଷିଣ ସୀମାରେ ହେଜବୁଲା ଗତିବିଧି ନିୟନ୍ତ୍ରଣ କରିବାକୁ ସମ୍ମତି ଦେଇଥିବା ବେଳେ, ଇସ୍ରାଏଲ ନିଜର ସୁରକ୍ଷା ଅଧିକାର ଅକ୍ଷୁଣ୍ଣ ରଖିଛି।

ଏହି ପରିସ୍ଥିତି ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ସମ୍ଭାବନା ବଢ଼ିଛି। ଏହା ସହିତ ବିଶ୍ୱ ଅର୍ଥନୀତିରେ ଚାଲିଥିବା ଅନିଶ୍ଚିତତା କିଛି ହଦ ପର୍ଯ୍ୟନ୍ତ କମିପାରେ ବୋଲି ଅର୍ଥନୀତିବିଦ୍ମାନେ ମତ ପ୍ରକାଶ କରିଛନ୍ତି।