ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ, ଇସ୍ରାଏଲ ଏବଂ ଲେବାନନ ସେମାନଙ୍କ ମଧ୍ୟରେ ଜାରି ରହିଥିବା ଅସ୍ତ୍ରବିରତିକୁ ଆଉ ୩ ସପ୍ତାହ ପାଇଁ ବଢ଼ାଇବାକୁ ସହମତ ହୋଇଛନ୍ତି। ଏହି ପଦକ୍ଷେପକୁ ଟ୍ରମ୍ପ “ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ” ବୋଲି ବର୍ଣ୍ଣନା କରିଛନ୍ତି।

ଉଭୟ ଦେଶର ବରିଷ୍ଠ ପ୍ରତିନିଧିଙ୍କ ସହ ହ୍ୱାଇଟ୍ ହାଉସରେ ଆଲୋଚନା କରିବା ପରେ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଆଗାମୀ କିଛି ସପ୍ତାହ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଲେବାନନ ରାଷ୍ଟ୍ରପତି ଜୋସେଫ୍ ଆଉନ୍ ୱାଶିଂଟନରେ ପରସ୍ପରକୁ ଭେଟି ପାରନ୍ତି।ଦୁଇ ପଡ଼ୋଶୀ ଦେଶର ଏହି ମୁଖ୍ୟମାନେ ପୂର୍ବରୁ କେବେ ପରସ୍ପରକୁ ଭେଟିନାହାନ୍ତି। ଟ୍ରମ୍ପ ସେମାନଙ୍କୁ “ମହାନ ବ୍ୟକ୍ତି” ଭାବେ ସମ୍ବୋଧିତ କରି ସେମାନଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଶା ବ୍ୟକ୍ତ କରିଛନ୍ତି।

ଅସ୍ତ୍ରବିରତି ସୀମା ବୃଦ୍ଧି ପାଇଥିଲେ ମଧ୍ୟ ସେଠାରେ ହିଜବୁଲ୍ଲାର ଉପସ୍ଥିତିକୁ ନେଇ ଆଶଙ୍କା ରହିଛି। ଟ୍ରମ୍ପ କହିଛନ୍ତି ଯେ, ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ପାଇଁ ଲେବାନନ ହିଜବୁଲ୍ଲାକୁ ନିରସ୍ତ୍ର କରିବା ଜରୁରୀ। ଏଥିସହିତ ସେ ଇରାନକୁ ହିଜବୁଲ୍ଲା ପାଇଁ ପାଣ୍ଠି ଯୋଗାଣ ବନ୍ଦ କରିବାକୁ କହିଛନ୍ତି, ଯାହାଦ୍ୱାରା ମଧ୍ୟ-ପ୍ରାଚ୍ୟରେ ସ୍ଥିରତା ଆସିପାରିବ।

ଇସ୍ରାଏଲ ଏବଂ ଲେବାନନ ଏହି ଶାନ୍ତି ବୁଝାମଣା ପାଇଁ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇସ୍ରାଏଲ ରାଷ୍ଟ୍ରଦୂତ ୟେଚିଏଲ ଲେଟର୍ କହିଛନ୍ତି ଯେ, ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ଆନୁଷ୍ଠାନିକ ଭାବେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇପାରେ।

ଲେବାନନ ରାଷ୍ଟ୍ରଦୂତ ନାଦା ହାମାଦେହ ମୋଆୱାଦ ମଧ୍ୟ ଟ୍ରମ୍ପଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ଏବଂ ଏହି ସମର୍ଥନ ଲେବାନନକୁ ପୁନର୍ବାର ସଶକ୍ତ କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି।ଏହି ଘୋଷଣା ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଥିବା ଶତ୍ରୁତା ମଧ୍ୟରେ ଏକ ଆଶାବାଦୀ ପରିବେଶ ସୃଷ୍ଟି କରିଛି।